ଗାଈ ଚରାଉଛନ୍ତି ଜାତୀୟସ୍ତରର କବାଡ଼ି ଖେଳାଳି

ଜୟପୁର,୨୩ା୨(ନି.ପ୍ର.) ନୁଆଁଣିଆ ଟିଣ ଛପର ଘର ଖଣ୍ଡେ। ଆଉ ଏହାରି ମଧ୍ୟରେ ମା’-ବାପାଙ୍କ ସହ ନିଜ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ଜଣେ ଯୁବକ। କେତେବେଳେ ଘର କାମରେ ମାଆଙ୍କୁ ସହାୟତା କରୁଛନ୍ତି ତ ଆଉ କେତେବେଳେ ଚାଷକାମରେ ବାପାଙ୍କୁ ହାତ ବଢ଼େଇ ଦେଉଛନ୍ତି। ଅନେକ ସମୟରେ ଗାଁରେ ଗାଈ ଚରାଇବାଠାରୁ ଆରମ୍ଭ କରି ଜମିରେ ମାଟି ହାଣିବାରେ ତାଙ୍କ ସମୟ ବିତୁଛି। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ, ଏ ସବୁ କାମରେ ନିୟୋଜିତ ହୋଇଥିବା ଯୁବକ ଜଣଙ୍କ ଦିନେ ଥିଲେ ଜାତୀୟ ସ୍ତରର କବାଡି ଖେଳାଳି। ସ୍କୁଲ ସ୍ତରରେ ରାଜ୍ୟ ଓ ବାହାରେ ଅନେକ କବାଡି ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କାର ଓ ପ୍ରଶଂସା ସାଉଣ୍ଟିଥିଲେ। ଏପରିକି କବାଡି ଖେଳ ପାଇଁ ତାଙ୍କୁ ଅଧାରେ ପାଠ ବି ଛାଡ଼ିବାକୁ ପଡ଼ିଥିଲା। ଏହି ଯୁବକ ଜଣଙ୍କ ହେଉଛନ୍ତି କୋରାପୁଟ ଜିଲା ବୈପାରୀଗୁଡ଼ା ବ୍ଳକ ଦିସାରିଗୁଡାର ଉମାକାନ୍ତ ଖରା। ଦୁର୍ଭାଗ୍ୟର କଥା ଯେଉଁ କବାଡି ପାଇଁ ନିଜର ସର୍ବସ୍ବ ଜଳାଞ୍ଜଳି ଦେଇଥିଲେ, ସେହି ଖେଳ ହଁି ତାଙ୍କୁ ଆଜି ପର କରି ଦେଇଛି। ପ୍ରାଥମିକ ଶିକ୍ଷା ନିଜ ଗାଁରେ ସାରିବା ପରେ ସ୍ଥାନୀୟ ବ୍ରାହ୍ମଣଗୁଡ଼ା ହାଇସ୍କୁଲରେ ନାଁ ଲେଖାଇଥିଲେ ଉମାକାନ୍ତ। ଆଉ ଏଠାରେ ଭଲ କବାଡି ଖେଳି ଜାତୀୟ ସ୍ତରରେ ନିଜକୁ ପରିଚିତ କରିପାରିଥିଲେ। ସ୍କୁଲସ୍ତରରେ ଜାତୀୟ କବାଡି ପ୍ରତିଯୋଗିତାରେ ଭାଗ ନେଇଥିଲେ ବି ସୁଯୋଗ ଓ ଅର୍ଥ ଅଭାବରୁ ଉଭୟ ଖେଳ ଓ ପାଠ ଅଧାରୁ ଛାଡ଼ିବାକୁ ପଡ଼ିଛି। ଏବେ ପୁରୁଣା ସାର୍ଟିଫିକେଟ ଓ ପୁରସ୍କାର ଦେଖି ସେ ନିଜ ମନକୁ ସାନ୍ତ୍ୱନା ଦେଉଛନ୍ତି। ନିରୁପାୟ ଉମାକାନ୍ତ ଦିନ ମଜୁରିଆ ସାଜିବାକୁ ବାଧ୍ୟ ହୋଇଛନ୍ତି। ଗାଈ ଚରାଇବା ଓ ଚାଷକାମ ସହ ଜୟପୁର ଡାକ୍ତରଖାନାରେ ସୁରକ୍ଷାକର୍ମୀ ଭାବେ କାମ କରୁଛନ୍ତି।