Categories: ଅନୁଗୋଳ

ଗାଈ ଗୋରୁଙ୍କ ଚରାଭୂଇଁ ପାଲଟିଛି ୫୫ନଂ. ଜାତୀୟ ରାଜପଥ: ବଢୁଛି ଦୁର୍ଘଟଣା

ବଅଁରପାଳ,୨୫।୬(ଡି.ଏନ.ଏ.)-ଅନୁଗୋଳ ଜିଲା ବଅଁରପାଳ ଓ ନାଲ୍‌କୋ ଅଞ୍ଚଳ ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥ ଗାଈ ଗୋରୁଙ୍କ ଚରାଭୂଇଁ ପାଲଟିଥିବା ଦେଖାଦେଇଛି। ସକାଳ ଓ ସଞ୍ଜ ସମୟରେ ରାଜପଥ ଉପରେ ବହୁ ସଂଖ୍ୟାରେ ଗୋରୁପଲ ଆସି ଜମା ହେଉଛନ୍ତି। ଏପରିକି ରାସ୍ତା ଉପରେ ଦୀର୍ଘ ସମୟ ଧରି ଶୋଇ ରହୁଛନ୍ତି। ଫଳରେ ରାସ୍ତା ସଂକୀର୍ଣ୍ଣ ହେବା ସହିତ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଅନେକ ସମୟରେ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଛି। ଯେଉଁ ସ୍ଥାନମାନଙ୍କରେ ଗାଈଗୋରୁ ଜମା ହେଉଛନ୍ତି ସେହି ସ୍ଥାନ ଗୁଡ଼ିକରେ ଗତ ୩ ମାସ ମଧ୍ୟରେ ୨୫ରୁ ଊର୍ଦ୍ଧ୍ୱ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି।
ବଅଁରପାଳ ବ୍ଲକ ଛକ ସନ୍ତ୍ରୀ ଛକ, ନୂଆ ହତା ଛକ, ଗଣେଶ ବଜାର, ନାଲକୋ ଛକ, ଏଫସିଆଇ ଛକ ଆଦି ବିଭିନ୍ନ ସ୍ଥାନରେ ଅନେକ ସମୟରେ ଗାଈ ଗୋରୁ ସବୁ ଜମା ହେଉଛନ୍ତି। ଏପରିକି ରାତିରେ ରାସ୍ତା ଉପରେ ଶହ ଶହ ସଂଖ୍ୟାରେ ଗାଈଗୋରୁ ଶୋଇ ରହୁଥିବା ଦେଖିବାକୁ ମିଳୁଛି। ବିଗତ ଦିନରେ ଦୁର୍ଘଟଣା ଯୋଗୁ ବହୁ ଗାଈଗୋରୁ ଆହାତ ହୋଇଥିବାବେଳେ କେତେକ ମୃତ୍ୟୁମୁଖରେ ପଡ଼ିଛନ୍ତି। ସେହିପରି ଶହଶହ ସଂଖ୍ୟାର ଗୋରୁ ରାସ୍ତା ଉପରେ ଶୋଇ ରହୁଥିବା ଯୋଗୁ ଜନସାଧାରଣ ଯାତାୟାତରେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କଳ କାରଖାନା ସୃଷ୍ଟି ଯୋଗୁ ବହୁ ଚାରଣ ଭୂମି ହ୍ରାସ ପାଇବାରେ ଲାଗିଛି। ଏପରି ଅଞ୍ଚଳରେ ଥିବା ଗୋଚର ଜମି ଗୁଡିକ ଏବେ ଜବରଦଖଲକାରୀଙ୍କ କବଜାରେ ରହିଛି। ଗାଈ ଗୋରୁଙ୍କ ଚଲାବୁଲା ପାଇଁ ଚାରଣ ଭୂମିର ଅଭାବ ରହୁଛି। ଫଳରେ ଗାଈଗୋରୁ ସବୁ ରାସ୍ତାମୁହିଁ ହେଉଛନ୍ତି। ସେହିପରି କେତେକ ଲୋକ ଗୁହାଳରେ ଗାଈଠାରୁ କ୍ଷୀର ସଂଗ୍ରହ କରିବା ପରେ ଗାଈ ଗୁଡିକୁ ବାହରକୁ ଛାଡି ଦେଉଛନ୍ତି। ତେଣୁ ଏପରି ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ କରା ନ ଗଲେ ଗୋରୁ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।