ଗାଁ ମାଟିରେ ପର୍ବତାରୋହୀ ଲିପିକାଙ୍କୁ ସମ୍ବର୍ଦ୍ଧନା

ବରଗଡ଼ ଅଫିସ,୧୩।୧୦: ଋଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲ୍‌ବ୍ରୁଶ୍‌କୁ ସଫଳତାର ସହିତ ଆରୋହଣ କରି ଶିଖରରେ ଦେଶ ମାତୃକାର ତ୍ରିରଙ୍ଗା ଉଡ଼ାଇବା ପରେ ପର୍ବତାରୋହୀ ଲିପିକା ସେଟ୍ଟ୍‌ ରବିବାର ମଧ୍ୟାହ୍ନରେ ନିଜ ଗାଁ ମାଟି ବରଗଡ଼ ଜିଲା ଭେଡେନ ବ୍ଲକ ଅନ୍ତର୍ଗତ ଡାଲବରେ ପହଞ୍ଚିଛନ୍ତି। ଲିପିକା ଘରକୁ ଫେରିବା ବାଟରେ ସମ୍ବଲପୁର, ଲକ୍ଷ୍ମୀଡୁଙ୍ଗୁରୀ, ଗୋଡ଼ଭଗା, ବରାହମୁଣ୍ଡା, କାଦୋବାହାଲ ଏବଂ ନିଜ ଗାଁ ଡାଲବରେ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶୁଭେଚ୍ଛୁମାନେ ଲିପିକାଙ୍କ ପାଦ ଧୋଇବା ସହିତ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ମାଆ ଅନସୂୟା, ଶୁଭେଚ୍ଛୁ ବରଗଡ଼ ବ୍ଲକ ଖୁଣ୍ଟପାଲି ଗ୍ରାମର ଦିବାକର ମାଝିଙ୍କ ସହିତ ଲିପିକା ଭୁବନେଶ୍ୱରରୁ ନିଜ ଘରକୁ ଫେରିଛନ୍ତି। ଲିପିକାଙ୍କ ସଫଳତା ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।