ଗାଁ ମଶାଣିରେ ଶବକୁ ଜାଗା ନ ମିଳିବା ଘଟଣା: ଶୁଦ୍ଧିକ୍ରିୟାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ, ବିଧାୟକ

ସଜନାଗଡ଼, ୧୬।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଡାହିସାହି ଗ୍ରାମର ଜଗନ୍ନାଥ ରଣା ନାମକ ଯୁବକ ଥଣ୍ଡାଜ୍ୱରରେ ପୀଡ଼ିତ ହୋଇ ଗତ ୫ ତାରିଖରେ ମୃତ୍ୟୁବରଣ କରିଥିଲେ। ଏକମାତ୍ର ପୁଅକୁ ହରାଇ ତାଙ୍କ ମା’ କମଳିନୀ ଏବେ ବେସାହାର ହୋଇପଡ଼ିଛନ୍ତି। ପୁଅ ଶବ ସଂସ୍କାର ପାଇଁ ତାଙ୍କ ପାଖରେ କାଣି କଉଡିଟିଏ ନ ଥିବାରୁ ସେ ଓ ତାଙ୍କ ସମ୍ପର୍କୀୟମାନେ ମଶାଣିରେ ପୋତିଦେବାକୁ ସ୍ଥିର କରିଥିଲେ। ହେଲେ ଗ୍ରାମର କେତେଜଣ ବ୍ୟକ୍ତି ଏହାକୁ ବାରଣ କରିବାରୁ ଶେଷରେ ତାଙ୍କ ସମ୍ପର୍କୀୟମାନେ ଏକ ରିକ୍ସା ଯୋଗେ ୩କି.ମି. ପର୍ଯ୍ୟନ୍ତ ବୋହିନେବା ପରେ ପାହାଡ଼ ପାଦଦେଶରେ ପୋତିଥିଲେ। ସ୍ଥାନୀୟ ସରପଞ୍ଚ ମୃତ୍ୟୁର ଦୁଇଦିନ ପରେ ଦୁଇହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ରବିବାର ଥିଲା ତାଙ୍କର ଏକାଦଶାହ। ଆର୍ଥିକ ଅନଟନ ମଧ୍ୟରେ ଅସହାୟ ମା’ କ୍ରିୟାକର୍ମ କରିବାକୁ ଯାଉଥିବାବେଳେ ଖବରପାଇ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ସ୍ଥାନୀୟ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ କମଳିନୀଙ୍କ କୁଡ଼ିଆରେ ପହଞ୍ଚତ୍ ଏଭଳି ହୃଦୟ ବିଦାରକ ଅବସ୍ଥାକୁ ଦେଖି ଦୁଃଖ ପ୍ରକାଶ କରିଥିଲେ। ଘଟଣାସ୍ଥଳକୁ ନୀଳଗିରି ବିଡିଓ ଅନିତା ନାୟକଙ୍କୁ ଡକାଇ ଯଥାଶୀଘ୍ର କମଳିନୀଙ୍କ ଥଇଥାନ ନିମନ୍ତେ ଘର ଓ ଭତ୍ତା ପାଇଁ ବ୍ୟବସ୍ଥା କରିବାକୁ କହିଥିଲେ। ଏହାସହ ଶୁଦ୍ଧିକ୍ରିୟା ପାଇଁ ବ୍ୟକ୍ତିଗତ ଭାବେ ଆର୍ଥିକ ସାହାଯ୍ୟ ଯୋଗାଇଥିଲେ। ଶୁଦ୍ଧିକ୍ରିୟା ପରେ ସେ କିପରି ରହିବେ ସେଥିଲାଗି ମଧ୍ୟ ବୃଦ୍ଧାଶ୍ରମ ସହ ଯୋଗାଯୋଗ କରିଥିବାର ଜଣାପଡ଼ିଛି।