ଗାଁ ଭିତରକୁ ପଶିଲା ପିଟିସି ଗୁଳି

ଅନୁଗୋଳ ଅଫିସ/ବନ୍ତଳା, ୧୨।୫
ଅନୁଗୋଳସ୍ଥିତ ପୋଲିସ ଟ୍ରେନିଂ କଲେଜ (ପିଟିସି)ରେ ସୋମବାର ଗୁଳି ଚାଳନା ପ୍ରଶିକ୍ଷଣ ବେଳେ ନିକଟସ୍ଥ ଶରଧାପୁର ଗାଁର ମହିଳା ପୁଷ୍ପଲତା ନାଏକ(୪୮)ଙ୍କ ହାତରେ ଗୁଳି ବାଜିଥିବା ଅଭିଯୋଗ ହୋଇଛି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବରପାଇ ପିଟିସି ଅଧ୍ୟକ୍ଷ ତଥା ଉତ୍ତରକେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏପରି କିଛି ଘଟିବାର ସମ୍ଭାବନା ନ ଥିଲେ ବି ଅଭିଯୋଗ ହୋଇଥିବାରୁ ଅନୁଗୋଳ ପୋଲିସ ତଦନ୍ତ କରିବ ବୋଲି ଆଇଜି ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ପିଟିସି ନିକଟରେ ଶରଧାପୁର ଗଁା ଥିବାରୁ ଏପରି ପ୍ରଶିକ୍ଷଣ ପୂର୍ବରୁ କର୍ତ୍ତୃପକ୍ଷ ଗ୍ରାମବାସୀଙ୍କୁ ସୂଚନା ଦେଇଥାନ୍ତି। ଚଳିତମାସ ୯ରୁ ୧୩ ତାରିଖ ଯାଏ ପ୍ରଶିକ୍ଷଣ ସମୟରେ ବାହାରକୁ ନ ବାହାରିବାକୁ ପିଟିସି ପକ୍ଷରୁ ଗ୍ରାମବାସୀଙ୍କୁ ସତର୍କ କରାଯାଇଥିଲା। ହେଲେ ସକାଳେ ପୁଷ୍ପଲତା ଘର ବାହାରେ କାମ କରୁଥିବା ବେଳେ ଗୋଟିଏ ଗୁଳି ତାଙ୍କ ବାମ ହାତ ପାପୁଲିରେ ବାଜିଥିଲା। ଆଉ ଏକ ଗୁଳି ଘର କାନ୍ଥରେ ବାଜିଥିବା ପୁଷ୍ପଲତାଙ୍କ ପୁଅ ଗୁରୁ ନାଏକ ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି। ତୁରନ୍ତ ୧୦୮ ଆମ୍ବୁଲାନ୍ସରେ ପୁଷ୍ପଲତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେ ସାମାନ୍ୟ ଆହତ ହୋଇଥିବା ମେଡିକାଲ ପକ୍ଷରୁ କୁହାଯାଇଛି। ଅନୁଗୋଳ ପୋଲିସ କହିଛି, ପିଟିସି ଗୁଳି ଚାଳନା ରେଞ୍ଜ ଓ ପୁଷ୍ପଲତାଙ୍କ ଘର ମଧ୍ୟରେ ବହୁ ବ୍ୟବଧାନ ରହିଛି। ତେଣୁ ମହିଳାଙ୍କ ହାତରେ ଗୁଳି କିପରି ବାଜିଲା ତାହା ତଦନ୍ତ ପରେ ଜଣାପଡ଼ିବ। ସୂଚନାଯୋଗ୍ୟ ଯେ, ୨୦୧୯ ଜୁଲାଇ ୪ ତାରିଖରେ ପିଟିସିରେ ଏପରି ପ୍ରଶିକ୍ଷଣ ବେଳେ ଜଣେ ବୃଦ୍ଧାଙ୍କ ଛାତିରେ ଗୁଳି ବାଜିଥିଲା।