ଗାଁ ଦାଣ୍ଡରେ ଜମି ରହିଛି ବର୍ଜ୍ୟଜଳ : ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ଅସନ୍ତୋଷ, ଡ୍ରେନେଜ୍‌ ଦାବି

ବୋଲଗଡ଼,୧୫ା୭(ଡି.ଏନ୍‌.ଏ.): ବୋଲଗଡ଼ ବ୍ଲକ ଅସରଳା ଗ୍ରାମଦାଣ୍ଡରେ ବର୍ଜ୍ୟଜଳ ନିଷ୍କାସିତ ନ ହୋଇ ଗାଁ ଦାଣ୍ଡରେ ଜମି ରହିଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଉପଯୁକ୍ତ ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ଗ୍ରାମର ୨ଟି ସ୍ଥାନରେ ବର୍ଷସାରା ଏଭଳି ଅବସ୍ଥା ଲାଗି ରହୁଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ଗ୍ରାମର ମଣ୍ଡପ ଛକଠାରୁ ମାଳିସାହିର ଉତ୍ତରଦିଗ ଆଡ଼କୁ ପ୍ରାୟ ଶହେ ମିଟରରୁ ଊର୍ଦ୍ଧ୍ୱ ସ୍ଥାନରେ ବର୍ଜ୍ୟଜଳ ଜମି ରହୁଛି। ସେହିପରି ସୁନ୍ଦରା ସାହିଠାରୁ ଗଉଡ ସାହି ମଧ୍ୟରେ ଗାଁ ଦାଣ୍ଡରେ ପାଣି ଜମି ରହୁଛି । ଏହି ୨ ଅଞ୍ଚଳ ଖାଲୁଆ ଥିବାରୁ ଦୂଷିତ ପାଣି ନିଷ୍କାସିତ ହୋଇପାରୁନାହିଁ। କେଉଁଠାରେ ଆଣ୍ଠୁଏ ତ କେଉଁଠି ପ୍ରାୟ ୬ ଇଞ୍ଚ ଉଚ୍ଚତା ପର୍ଯ୍ୟନ୍ତ ଜଳ ଜମି ରହୁଛି। ବର୍ଷାଦିନେ ଏହାର ପରିମାଣ ବୃଦ୍ଧିପାଉଛି। ଗ୍ରାମ ଦେଇ ଯାଇଥିବା ଆର୍‌ଡି ରାସ୍ତା ଉଚ୍ଚ ହୋଇଥିବାରୁ ଜଳ ନିଷ୍କାସିତ ହୋଇପାରୁନି। ତେଣୁ ଏହି ପ୍ରଦୂଷିତ ଜଳରେ ସର୍ବଦା ମଶା, ମାଛିଙ୍କର ବଂଶବୃଦ୍ଧି ସହ ଦୁର୍ଗନ୍ଧ ସୃଷ୍ଟି ହେଉଛି। ଉକ୍ତ ରାସ୍ତାଦେଇ ଯାତାୟାତ କରୁଥିବା ଲୋକେ ହଇରାଣ ହେଉଛନ୍ତି। ବାରମ୍ବାର ଡ୍ରେନେଜ୍‌ ବ୍ୟବସ୍ଥା ନିମନ୍ତେ ସ୍ଥାନୀୟ ଲୋକେ ଦାବି କଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏ ସମସ୍ୟା ସମ୍ପର୍କରେ ବୋଲଗଡ଼ ବିଡିଓ କହିଥିଲେ, ଅସରଳା ଗ୍ରାମରେ ବର୍ଜ୍ୟଜଳ ଡ୍ରେନେଜ୍‌ ବ୍ୟବସ୍ଥା ନିମନ୍ତେ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ।