ଗଳିତ ପାଦକୁ ନେଇ ପୋଲିସର ତନଘନା; ନିଖୋଜ ଶିଶୁର ପାଦ ବୋଲି ଦାବି କଲେ ମହିଳା

ଯୋଡ଼ା, ୨୦।୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ବାଂଶପାଣି ଟୋଲଗେଟ୍‌ ନିକଟସ୍ଥ ବସ୍ତି ପାଖରେ ପୋଲିସ ଜଣେ ୩ ବର୍ଷର ଶିଶୁର ଗଳିତ ପାଦ ରବିବାର ଉଦ୍ଧାର କରିଛି ା ପୋଲିସ ସୂଚନାନୁଯାୟୀ, ରବିବାର ସକାଳ ସମୟରେ ଉକ୍ତ ବସ୍ତିର ଛୋଟ ପିଲାମାନେ ଖେଳୁଥିବା ବେଳେ ଏକ ଗଳିତ ପାଦ ଦେଖିବାକୁ ପାଇଥିଲେ ା ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ କେନ୍ଦୁଝର ଡିଏସ୍‌ପି ପ୍ରକାଶ ଜେମ୍‌ସ ଟପୋ, ବଡବିଲ୍‌ ଏସ୍‌ଡିପିଓ ସତ୍ୟବିକାଶ ଭୂୟାଁ, ଯୋଡା ଥାନା ଆଇଆଇସି ରାଇସେନ୍‌ ମୁର୍ମୁ ସଦଳବଳ ସହ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହିତ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଥିଲେ। ତେବେ ଉକ୍ତ ଗଳିତ ପାଦଟି ସ୍ଥାନୀୟ ଅଞ୍ଚଳରେ ରହୁଥିବା ରୋହିତ ଓରାମ୍‌(୩) ଙ୍କର ବୋଲି ତାଙ୍କ ମା’ ଶଶୀ ଓରାମ୍‌ ଦାବି କରିଛନ୍ତି। ଏ ନେଇ ଶଶୀ କହିଛନ୍ତି , ସ୍ବାମୀଙ୍କ ମୃତ୍ୟୁ ପରେ ସେ ହୋଟେଲରେ କାମ କରି ତାଙ୍କର ଦୁଇ ଝିଅ ଓ ସାନ ପୁଅ ରୋହିତର ଲାଳନପାଳନ କରିଆସୁଥିଲେ। ଗତ ୧ ମାସ ପୂର୍ବେ ଛୁଆ ମାନଙ୍କୁ ଖାଇବାକୁ ଦେଇ ସେ କାମକୁ ଚାଲିଯାଇଥିଲେ। ମାତ୍ର ଘରକୁ ଫେରିବା ପରେ ସାନ ପୁଅ ରୋହିତ ଘରେ ନ ଥିବା ଜାଣିବାକୁ ପାଇଥିଲେ। ବହୁ ଖୋଜାଖୋଜି ପରେ ରୋହିତଙ୍କୁ ନ ପାଇବାରୁ ଏ ସମ୍ପର୍କରେ ପରିବାର ଲୋକେ ଯୋଡା ଥାନାରେ ଜଣାଇଥିଲେ। ତେବେ ରବିବାର ଏହି ଗଳିତ ପାଦକୁ ଦେଖି ଏହା ତାଙ୍କ ପୁଅ ରୋହିତଙ୍କର ବୋଲି ତାଙ୍କ ମା’ ଦୃଢୋକ୍ତି ପ୍ରକାଶ କରିବା ସହିତ ତାଙ୍କ ପୁଅଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ପୋଲିସକୁ ଜଣାଇଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ା ଏହି ଘଟଣାରେ ଜଣେ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ଅତିଶୀଘ୍ର ଏହି ଘଟଣାର ପର୍ଦ୍ଦାଫାଶ କରାଯିବ ବୋଲି ଯୋଡା ଥାନା ଆଇଆଇସି ରାଇସେନ୍‌ ମୁର୍ମୁ କହିଛନ୍ତି। ତେବେ ଏହି ଘଟଣାକୁ କେହି ତନ୍ତ୍ରପୂଜା ଓ ବଳି କହୁଥିବା ବେଳେ ପାରିବାରିକ କଳହରୁ ଶିଶୁଟିକୁ ହତ୍ୟା କରାଯାଇ ଥାଇପାରେ ବୋଲି ଲୋକେ କହିଛନ୍ତି। ଅନ୍ୟପକ୍ଷେ ଗଳିତ ପାଦ ମିଳିଥିଲେ ମଧ୍ୟ ସେହି ଶିଶୁର ଅବଶିଷ୍ଟ ଅଂଶ ପୋଲିସ ଠାବ କରିପାରିନାହିଁ ା