ଗଳା ପୋଲ ନିର୍ମାଣ ଦାବିରେ ରାଣୀତାଲ ବଜାର ବନ୍ଦ

ଭଦ୍ରକ ଅଫିସ,୨୪।୧୨: ଭଦ୍ରକ ଜିଲା ରାଣୀତାଲ ବଜାର ମଙ୍ଗଳବାର ସକାଳୁ ବନ୍ଦ ରହିଛି। ଗଳା ପୋଲ ନିର୍ମାଣ ଦାବିରେ ରାଣୀତାଲ ବିକାଶ ମଞ୍ଚର ସଦସ୍ୟ ଓ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଏହି ବନ୍ଦଡାକରା ଦିଆଯାଇଛି। ଏ ନେଇ ୧୬ ନଂ. ଜାତୀୟ ରାଜପଥ ରାଣୀତାଲ ନିକଟରେ ଏକ ପ୍ରତିବାଦ ସଭା କରାଯାଇଛି। ବଜାର ପ୍ରାୟ ସମସ୍ତ ଦୋକାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳଟି ଦୁର୍ଘଟଣା ପ୍ରବଣ ଅଞ୍ଚଳ ହୋଇଥିବାରୁ ପୋଲ ନିର୍ମାଣ ନେଇ ପୂର୍ବରୁ ଜିଲା ପ୍ରଶାସନ ଓ ଜାତୀୟ ରାଜପଥ ପ୍ରାଧିକରଣ ବୋର୍ଡ ନିକଟରେ ଅଭିଯୋଗ ହୋଇ ଆସୁଥିଲା। ପୂର୍ବରୁ ପ୍ରଶାସନ ପୋଲ ନିର୍ମାଣ ନେଇ ମଧ୍ୟ ପ୍ରତିଶ୍ରୃତି ଦେଇଥିଲେ। ଅଦ୍ୟାବଧି ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେବାରୁ ରାଜପଥ ସଂପ୍ରସାରଣ କାର୍ଯ୍ୟ ବନ୍ଦ କରିବାକୁ ମଞ୍ଚ ଓ ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି।