ଗର୍ଭାବସ୍ଥାରେ କରନ୍ତୁ ନାହିଁ ଏସବୁ ଭୁଲ

ଗର୍ଭାବସ୍ଥାରେ ମହିଳାମାନେ କିଛି ଛୋଟ ଛୋଟ ଭୁଲ କରିଥାନ୍ତି। ସେମାନେ ଜାଣି ନ ଥାନ୍ତି ଏହା ଦ୍ୱାରା ଗର୍ଭସ୍ଥ ଶିଶୁର କ’ଣ କ୍ଷତି ଘଟିବ। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ…


ଗର୍ଭବତୀ ଚିନ୍ତା ବା ଦୁଃଖରେ ରହିଲେ ଏହାର କୁପ୍ରଭାବ ଗର୍ଭସ୍ଥ ସନ୍ତାନ ଉପରେ ପଡ଼ିଥାଏ। ବେଳେବେଳେ ଏହା ପିଲାର ଜୀବନ ପ୍ରତି ମଧ୍ୟ ବିପଦ ଆଣିଥାଏ। ଆମେରିକାର ନ୍ୟାଶନାଲ ଏକାଡେମୀ ଅଫ୍‌ ସାଇନ୍ସର ଅଧ୍ୟୟନରୁ ଜଣାପଡ଼ିଛି, ଯେଉଁ ମହିଳାମାନେ ଗର୍ଭାବସ୍ଥାରେ ଅଧିକ ଚିନ୍ତିତ ରୁହନ୍ତି ସେମାନେ ଅପରିପକ୍ୱ ସନ୍ତାନ୍ତ ଜନ୍ମ ଦେଇଥାନ୍ତି। ଏହା ବ୍ୟତୀତ ଗର୍ଭସ୍ଥ ଶିଶୁ ପ୍ରତି ମଧ୍ୟ ଏହା ଖରାପ ପ୍ରଭାବ ପକାଇଥାଏ। ଗର୍ଭାବସ୍ଥାରେ ଅତ୍ୟଧିକ ଶାରୀରିକ ପରିଶ୍ରମ କଲେ ଗର୍ଭସ୍ଥ ଶିଶୁ ପାଇଁ ଏହା ଘାତକ ହୋଇଥାଏ। ଯେଉଁ ମହିଳାମାନଙ୍କର ଗର୍ଭାବସ୍ଥା ସମୟରେ ଉଚ୍ଚ ରକ୍ତଚାପ ଥାଏ ଶିଶୁ ପ୍ରତି ମଧ୍ୟ ଏହା ବିପଦ ସୃଷ୍ଟି କରେ।

କିଛି ମହିଳା ଧୂମମାନରେ ଅଭ୍ୟସ୍ତ ଥା’ନ୍ତି। କିନ୍ତୁ ଗର୍ଭାବସ୍ଥା ସମୟରେ ଏଥିରୁ ଦୂରେଇ ରୁହନ୍ତୁ। ନଚେତ୍‌ ଏହାର କୁପରିଣାମ ପିଲାକୁ ଭୋଗିବାକୁ ପଡ଼ିଥାଏ। ପିଲାର ବିକାଶରେ ଏହା ପ୍ରତିବନ୍ଧକ ସାଜେ। ଏଥିସହ ଶ୍ୱାସରୋଗ ମଧ୍ୟ ଦେଖାଦେବ। ତେଣୁ ଏମିତି କିଛି ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେଲେ ଗର୍ଭବତୀ ମହିଳା ଏକ ସୁସ୍ଥ ସନ୍ତାନକୁ ଜନ୍ମ ଦେଇପାରିବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।