ଗର୍ଭସ୍ଥ ଶିଶୁର ବିକାଶ କରେ ଏହି ଥେରାପି…

ମା’ ହେବା ପ୍ରତି ମହିଳାଙ୍କ ପାଇଁ ଏକ ସ୍ବର୍ଗୀୟ ଅନୁଭୁତି। ଗର୍ଭସ୍ଥ ଶିଶୁ ଲାଗି ମାତା-ପିତା ଉଭୟେ ଯତ୍ନଶୀଳ ହୋଇଥାନ୍ତି। କିଭଳି ଗର୍ଭସ୍ଥ ଶିଶୁର ଉପଯୁକ୍ତ ବିକାଶ ହୋଇପାରିବ ସେଥି ନିମନ୍ତେ ବିଭିନ୍ନ ଉପାୟ ଗ୍ରହଣ କରିବା ସହିତ ଅଭିଜ୍ଞ ଲୋକଙ୍କ ସହିତ ମାତା-ପିତା ପରାମର୍ଶ କରିଥାନ୍ତି। ତେବେ ମ୍ୟୁଜିକ୍‌ ଥେରାପି ଦ୍ୱାରା ଗର୍ଭସ୍ଥ ଶିଶୁର ବିକାଶ ସ୍ବାଭାବିକ ହୋଇଥାଏ। ମାତୃ ଗର୍ଭରେ ୬ ସପ୍ତାହ ହେବାବେଳକୁ ଶିଶୁର ହୃଦ୍‌ସନ୍ଦନ ଆରମ୍ଭ ହୋଇଥାଏ। ଏହା ସହିତ ଧୀରେ ଧୀରେ ମସ୍ତିଷ୍କର ବିକାଶ ମଧ୍ୟ ଆରମ୍ଭ ହୁଏ। ଏହି ସମୟରେ ମା ମ୍ୟୁଜିକ୍‌ ଶୁଣିଲେ ଶିଶୁ ପାଇଁ ଭଲ ବୋଲି ଆମେରିକା ଭର୍ଜିନିଆ ବିଶ୍ୱ ବିଦ୍ୟାଳୟର ମ୍ୟୁଜିକ୍‌ ଥେରାପି ବିଭାଗର ଗବେଷକ ଏକ ରିପୋର୍ଟରେ ସୂଚିତ କରିଛନ୍ତି। ସଙ୍ଗୀତ ଗର୍ଭସ୍ଥ ଶିଶୁ ଉପରେ କିଭଳି ପ୍ରଭାବ ପକାଉଛି ତାହା ଜାଣିବା ପାଇଁ ଗବେଷକ ଦୀର୍ଘଦିନ ଧରି ଗବେଷଣା ଜାରି ରଖିଥିଲେ। ଜଣାପଡିଥିଲା ଗର୍ଭବତୀ ମହିଳା ଶାସ୍ତ୍ରୀୟ ସଙ୍ଗୀତ ସହିତ ଅନ୍ୟ ସଙ୍ଗୀତ ଶୁଣିଲେ ଗର୍ଭସ୍ଥ ଶିଶୁର ବୌଦ୍ଧିକ ବିକାଶ ହୋଇଥାଏ। ନିୟମିତ ସକାଳେ ଏବଂ ସନ୍ଧ୍ୟାରେ ସଙ୍ଗୀତ ଶୁଣିବା ଦ୍ୱାରା ମାନସିକ ଚାପ ହ୍ରାସ ହେବା ଯୋଗୁ ନର୍ମାଲ୍‌ ବାର୍ଥ ହେବାର ସମ୍ଭାବନା ବଢ଼ିଥାଏ ବୋଲି ଗବେଷକ ଏହି ରିପୋର୍ଟରେ ଦର୍ଶାଇଛନ୍ତି।