Categories: ଖେଳ

ଗମ୍ଭୀର-ପ୍ରସାଦ ମୁହାଁମୁହିଁ

ନୂଆଦିଲ୍ଲୀ, ୨୪।୫: ୨୦୧୯ ବିଶ୍ୱକପ ଦଳରୁ ଅମ୍ବାତି ରାୟୁଡ଼ୁ ବାଦ୍‌ ପଡ଼ିବାକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଓ ପୂର୍ବତନ ଚୟନ କମିଟି ମୁଖ୍ୟ ଏମ୍‌ଏସ୍‌କେ ପ୍ରସାଦ ଏକ କାର୍ଯ୍ୟକ୍ରମରେ ଭାଗନେବା ଅବସରରେ ମୁହାଁମୁହିଁ ହୋଇଛନ୍ତି। ପ୍ରସାଦଙ୍କ ନେତୃତ୍ୱାଧୀନ କମିଟି ମିଡଲ ଅର୍ଡର ସ୍ପେଶାଲିଷ୍ଟ ରାୟୁଡ଼ୁଙ୍କ ସ୍ଥାନରେ ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ଚୟନ କରିଥିଲା। ଶଙ୍କର ୩-ଡି କ୍ରିକେଟର ହୋଇଥିବାରୁ ତାଙ୍କୁ ଚୟନ କରାଯାଇଥିବା ପ୍ରସାଦ ସେତେବେଳେ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ଦଳରୁ ଯେତେବେଳେ କୌଣସି ଖେଳାଳି ବାଦ୍‌ ପଡ଼ୁଛନ୍ତି ସେମାନଙ୍କ ସହ ଉତ୍ତମଭାବେ ଯୋଗାଯୋଗ ମଧ୍ୟ ରଖା ଯାଉନାହିଁ ବୋଲି ଗମ୍ଭୀର କହିଛନ୍ତି। ଏହି ଅବସରରେ ସେ ନିଜ ସହ କରୁଣ ନାୟାର, ଯୁବରାଜ ସିଂ, ସୁରେଶ ରାଇନାଙ୍କ ଉଦାହରଣ ଦେଇଛନ୍ତି ଏହି ପୂର୍ବତନ ଭାରତୀୟ ଓପନର। ୨୦୧୬ରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପରେ ଦଳରୁ ମୋତେ ଯେତେବେଳେ ବାଦ୍‌ ଦିଆଯାଇଥିଲା ସେତେବେଳେ କିଛି ଯୋଗାଯୋଗ କରାଯାଇ ନ ଥିଲା। କରୁଣ ନାୟାର ମଧ୍ୟ ତାଙ୍କପ୍ରତି ନ୍ୟାୟ ହୋଇନାହିଁ ବୋଲି କହିଥିଲେ। ଯୁବରାଜ ସିଂ ଓ ସୁରେଶ ରାଇନାଙ୍କ କ୍ଷେତ୍ରରେ ମଧ୍ୟ ତାହା ହୋଇଥିଲା ବୋଲି ଗମ୍ଭୀର କହିଛନ୍ତି।
ରାୟୁଡ଼ୁଙ୍କୁୁ ୨ ବର୍ଷ ପାଇଁ ୪ ନମ୍ବର ସ୍ଥାନରେ ଖେଳାଗଲା। ବିଶ୍ୱକପ ବେଳକୁ ଚୟନକର୍ତ୍ତାଙ୍କୁ ୩-ଡି ଖେଳାଳି ଆବଶ୍ୟକ ପଡ଼ିଲେ। ଚୟନ କମିଟି ମୁଖ୍ୟଙ୍କଠାରୁ ଏପରି ଉତ୍ତର ଯଥାର୍ଥ ବୋଲି ପ୍ରଶ୍ନ କରିଛନ୍ତି ଗମ୍ଭୀର। ପ୍ରସାଦ କହିଛନ୍ତି ଯେ, ଟପ୍‌ ଅର୍ଡରରେ ଶିଖର ଧାୱନ, ରୋହିତ ଶର୍ମା, ବିରାଟ କୋହଲି ସମସ୍ତେ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ। ବୋଲିଂ କରିବାର ଦକ୍ଷତା କାହାର ନାହିଁ। ତେଣୁ ଟପ୍‌ ଅର୍ଡରରେ ବ୍ୟାଟିଂ ସହ ଇଂଲିଶ୍‌ କଣ୍ଡିଶନରେ ଉପାଦେୟ ବୋଲିଂ କରିବା ଦକ୍ଷତା ରଖିଥିବା ଶଙ୍କରଙ୍କୁ ଚୟନ କରାଯାଇଥିଲା। ଏହା ବ୍ୟତୀତ ଘରୋଇ କ୍ରିକେଟରେ ଉତ୍ତମ ପ୍ରଦର୍ଶନ ମଧ୍ୟ ତାଙ୍କୁ ଏ କ୍ଷେତ୍ରରେ ବିଶେଷ ସହାୟକ ହୋଇଥିଲା ବୋଲି ପ୍ରସାଦ କହିଛନ୍ତି।

Share