ଗନ୍ଧମାର୍ଦ୍ଦନ ପାହାଡରେ ନିଆଁ

ଖପ୍ରାଖୋଲ, ୧୫ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ସମୀପ ଗନ୍ଧମାର୍ଦ୍ଦନ ପାହାଡରେ ନିଆଁ ଲାଗିଛି। ବନ ବିଭାଗ ଓ ଖପ୍ରାଖୋଲ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା କାମରେ ଲାଗିଛନ୍ତି। ହରିଶଙ୍କର ମନ୍ଦିର ପାଖ ପାହାଡ ଉପରେ ନିଆଁ ଲାଗିଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡିଛନ୍ତି। ନିଆଁ ଲିଭା କାମରେ ସ୍ବେଚ୍ଛାସେବୀମାନେ ମଧ୍ୟ ସହଯୋଗ କରୁଛନ୍ତି। ଗତ ୪ ଦିନ ହେଲା ପାହାଡର ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବା ଜାଣି ଜଙ୍ଗଲ ବିଭାଗର ଫାୟାର ସ୍କ୍ବାଡ ଦିନରାତି ନିଆଁକୁ ଆୟତ୍ତ ପାଇଁ ଲାଗି ପଡିଛନ୍ତି। ହରିଶଙ୍କର ମନ୍ଦିର ନିକଟରେ ଲାଗିଥିବା ନିଆଁକୁ ମଙ୍ଗଳବାର ରାତିରେ ଆୟତ୍ତ କରାଯାଇ ପାରିଥିଲା। ବୁଧବାର ବେହେରାପାଣି ନିକଟରେ ଲାଗିଥିବା ନିଆଁକୁ ବନ ବିଭାଗ ଲିଭାଇବାକୁ ନାକେଦମ ହୋଇଛି। ଜୈବ ବିବିଧତା ଭରା ଏହି ପାହାଡରେ ଦୁର୍ଲଭ ଗୁଳ୍ମଲତା ନିଆଁରେ ପୋଡି ପାଉଁଶ ହେଉଥିବାବେଳେ ମୂଲ୍ୟବାନ ଗଛ, ବିଭିନ୍ନ ଜୀବଯନ୍ତୁ ଜୀବନ ହରାଉଥିବା ଆଶଙ୍କା କରାଯାଉଛି । ଏ ନେଇ ବନ ବିଭାଗ ହରିଶଙ୍କର ରେଞ୍ଜ ଅଧିକାରୀ ଶ୍ରୀବତ୍ସ କୁମୁରାଙ୍କୁ ପଚାରିବାରୁ ଚଳିତ ବର୍ଷ ପାହାଡରେ ନିଆଁ ବହୁତ ଲାଗୁଛି । ବନ ବିଭାଗ କର୍ମଚାରୀଙ୍କ ଫାୟାର ସ୍କ୍ବାଡ ଦିନ ରାତି କାମ କରୁଛନ୍ତି। ହରିଶଙ୍କର ନିକଟରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇଛି ବୋଲି ସେ କହିଛନ୍ତି। ଚଳିତ ବର୍ଷ କରୋନା କଟକଣା ପାଇଁ ପାହାଡି ତଳି ଅଞ୍ଚଳରେ ସଚେତନତା କରାଯାଇ ପାରି ନ ଥିବାବେଳେ ମହୁଲ ଗୋଟାଇବାବେଳେ ପତ୍ର ପୋଡାଇବା ଓ କେତେକ ଦୁର୍ବୃତ୍ତ ମଧ୍ୟ ଏଭଳି ନିଆଁ ଲଗାଉଥିବାରୁ ପାହାଡରେ ନିଆଁ ଲାଗୁଛି । ଲୋକେ ସଚେତନ ହେଲେ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇପାରିବ ବୋଲି ସେ କହିଛନ୍ତି।