ଗଦାପୁର ସ୍ବାସ୍ଥ୍ୟକର୍ମୀଙ୍କ ନାମରେ ଜିଲାପାଳଙ୍କୁ ଅଭିଯୋଗ: ଏଡିଏମ୍‌, ଇନ୍‌ଚାର୍ଜଙ୍କ ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି,୧୦।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ଉପ ସ୍ବାସ୍ଥ୍ୟକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ କଳ୍ପନା ଘଡ଼େଇ ସ୍ଥାନୀୟ ଆଶାକର୍ମୀଙ୍କୁ ଖରାପ ବ୍ୟବହାର କରିବା ସହ ସ୍ଥାନୀୟ ସରପଞ୍ଚଙ୍କ ପରାମର୍ଶକୁ ବେଖାତିର କରୁଥିବା ନେଇ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଜିଲାପାଳ ଡ.ବୃନ୍ଦା ଡିଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ଲାଗି ଫୁଲବାଣୀରୁ ଏଡିଏମ୍‌ଓ ପ୍ରସନ୍ନ କୁମାର ତ୍ରିପାଠୀ, ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ଡାକ୍ତର ଜୟପାଲ ସେନାପତି ଏବଂ ଡାକ୍ତର ବଂଶୀଧର ପାତ୍ର ପ୍ରମୁଖ ଗଦାପୁରରେ ପହଞ୍ଚି ତଦନ୍ତ କରିଛନ୍ତି । ଏ ନେଇ ଜିଲାପାଳଙ୍କୁ ରିପୋର୍ଟ ଦିଆଯିବ ବୋଲି ଡାକ୍ତର ଜୟପାଲ କହିଛନ୍ତି ।
ଅଭିଯୋଗ ଅନୁଯାୟୀ, ଆଶାକର୍ମୀମାନେ କୌଣସି ମହିଳାଙ୍କ ପ୍ରସବ କରାଇବାକୁ ଡାକିଲେ ସ୍ବାସ୍ଥ୍ୟକର୍ମୀ ଗାଡ଼ି କରି ମୋତେ ନିଅ ବୋଲି କହିବା ସହ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଛନ୍ତି । ସେହିପରି ଜନଜାତି ବହୁଳ ଗ୍ରାମଗୁଡ଼ିକୁ ଚିକିତ୍ସା ପାଇଁ କିମ୍ବା ଟିକାକରଣ କରିବା ସମୟରେ ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ସେମାନଙ୍କୁ ଛୁଇଁବାକୁ ମନା କରୁଥିବା ଅଭିଯୋଗ ହୋଇଛି । ଜରୁରିକାଳୀନ ପରିସ୍ଥିତିରେ ଲୋକେ ଓଷଧ ପାଇଁ ଆସିଲେ ମହିଳା ସ୍ବାସ୍ଥ୍ୟକର୍ମୀ ଜଣକ ମନା କରିବା ସହ ଲୋକଙ୍କୁ ଗାଳିଗୁଲଜ କରୁଥିବା ମଧ୍ୟ ଅଞ୍ଚଳବାସୀ ଜିଲା ପ୍ରଶାସନକୁ ଜଣାଇଛନ୍ତି । ୧୩ ଦଫା ଅଭିଯୋଗପତ୍ରରେ ଶୀଘ୍ର ତଦନ୍ତ କରାଯାଇ ସ୍ବାସ୍ଥ୍ୟକର୍ମୀଙ୍କୁ ଅନ୍ୟତ୍ର ବଦଳି ପାଇଁ ମଧ୍ୟ ଦାବି ହୋଇଛି ।