ଗତ ୫ ବର୍ଷରେ ଖଣି ରାଜସ୍ବ ଆଦାୟ : ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିଲା ନାହିଁ

ଭୁବନେଶ୍ୱର,୨୨ା୭(ବ୍ୟୁରୋ) : ୨୦୧୮-୧୯ ଆର୍ଥିକ ବର୍ଷରେ ଖଣି ରାଜସ୍ବ ଆଦାୟ ବାବଦକୁ ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି ପାଇଛି। ସରକାର ୨୦୧୮-୧୯ ବର୍ଷରେ ୭୧୦୦ କୋଟି ଟଙ୍କାର ଖଣି ରାଜସ୍ବ ଆଦାୟ ଲାଗି ଲକ୍ଷ୍ୟ ରଖିଥିବା ବେଳେ ଏହା ବୃଦ୍ଧି ପାଇ ୧୦୪୭୯.୧୮ କୋଟି ଟଙ୍କା ଆଦାୟ ହୋଇଛି। ମାତ୍ର ୨୦୧୪-୧୫ରୁ ୨୦୧୭-୧୮ ଆର୍ଥିକ ବର୍ଷ ମଧ୍ୟରେ ଯେତିକି ଖଣି ରାଜସ୍ବ ଆଦାୟ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ ସେହି ସଂଖ୍ୟା ଛୁଇଁପାରିଲେ ନାହିଁ।
ରାଜ୍ୟ ସରକାରଙ୍କ ବାର୍ଷିକ ରିପୋର୍ଟ ଅନୁଯାୟୀ,୨୦୧୪-୧୫ ଆର୍ଥିକ ବର୍ଷରେ ୬୩୪୬.୯୮ କୋଟି ଟଙ୍କା ରାଜସ୍ବ ଆଦାୟ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ଲକ୍ଷ୍ୟ ଧାର୍ଯ୍ୟରୁ ୧୦୩୬.୮୯ କୋଟି ଟଙ୍କା ହ୍ରାସ ପାଇ ସେହି ଆର୍ଥିକ ବର୍ଷରେ ସରକାର ୫୩୧୦.୦୯ କୋଟି ଟଙ୍କା ଆଦାୟ ହେଲା। ୨୦୧୫-୧୬ ଆର୍ଥିକ ବର୍ଷରେ ସରକାର ୬୬୨୬ କୋଟି ଟଙ୍କା ଆଦାୟ ପାଇଁ ଲକ୍ଷ୍ୟ ରଖିଥିଲେ। ହେଲେ ଏହି ଆର୍ଥିକ ବର୍ଷରେ ମଧ୍ୟ ସରକାର ଧାର୍ଯ୍ୟ ଲକ୍ଷ୍ୟରୁ ୬୨୮.୨୧ କୋଟି ଟଙ୍କା କମ୍‌ ରାଜସ୍ବ ଆଦାୟ କଲେ। ସରକାର ସେହି ବର୍ଷ ୫୯୯୭.୭୯ କୋଟି ଟଙ୍କା ରାଜସ୍ବ ଆଦାୟ କରିବାରେ ସକ୍ଷମ ହେଲେ। ୨୦୧୬-୧୭ ଆର୍ଥିକ ବର୍ଷରେ ସରକାର ୭୦୦୦ କୋଟି ଟଙ୍କା ରାଜସ୍ବ ଆଦାୟ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ବେଳେ ଏଥିରୁ ୨ ହଜାର କୋଟି ଟଙ୍କାରୁ କମ୍‌ ଆଦାୟ କରିଥିଲେ। ସରକାର ସେହି ବର୍ଷ ୪୯.୨୫.୬୬ କୋଟି ଟଙ୍କାର ରାଜସ୍ବ ଆଦାୟ କରିବାରେ ସକ୍ଷମ ହୋଇଥିଲେ। ସେହିପରି ୨୦୧୭-୧୮ରେ ମଧ୍ୟ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାରେ ସରକାର ଫେଲ୍‌ ମାରିଲେ। ୬୬୩୦ କୋଟି ଧାର୍ଯ୍ୟ ଲକ୍ଷ୍ୟରୁ ୪୯୯.୦୩ କୋଟି ଟଙ୍କା କମିଯାଇ ସରକାର ୬୧୩୦.୯୭ କୋଟି ଟଙ୍କା ଆଦାୟ କଲେ। ହେଲେ ୨୦୧୮-୧୯ ଆର୍ଥିକ ବର୍ଷରେ ବେଆଇନ ଖଣି ଉତ୍ତୋଳନକାରୀଙ୍କ ଠାରୁ ଜରିମାନା ଆଦାୟ କରାଯିବାରୁ ଧାର୍ଯ୍ୟ ହୋଇଥିବା ରାଜସ୍ବ ଲକ୍ଷ୍ୟ ବୃଦ୍ଧି ପାଇଥିବା ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ୨୦୧୪ରୁ ୨୦୧୯ ମଧ୍ୟରେ ଅର୍ଥାତ୍‌ ୪ ବର୍ଷରେ ସରକାର ଖଣି ରାଜସ୍ବ ବାବଦକୁ ଧାର୍ଯ୍ୟ କରିଥିବା ଲକ୍ଷ୍ୟରୁ ୪୪୩୮.୪୭ କୋଟି ଟଙ୍କା କମ୍‌ ରାଜସ୍ବ ଆଦାୟ କରିଛନ୍ତି। ସେଥିରୁ ୩୩୭୯.୧୮ କୋଟି ଟଙ୍କା ୨୦୧୮-୧୯ ଆର୍ଥିକ ବର୍ଷରେ ଅଧିକ ଆଦାୟ କରି ଭରଣ କରିଛନ୍ତି। ତଥାପି ଗତ ୫ ବର୍ଷରେ ସରକାର ଖଣି ରାଜସ୍ବ ଆଦାୟ ବାବଦକୁ ଲକ୍ଷ୍ୟ ରଖିଥିବା ଅର୍ଥରୁ ୧୦୫୯.୨୯ କୋଟି ଟଙ୍କା କମ୍‌ ଆଦାୟ କରିଛନ୍ତି।