ଗଣେଶ ପୂଜା ପାଇଁ ଟ୍ରାଫିକ କଟକଣା କୋହଳ: ଜରିମାନା ବଦଳରେ ସଚେତନ କଲେ ପୋଲିସ

ଭୁବନେଶ୍ୱର,୩।୯(ବ୍ୟୁରୋ): ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଉଲ୍ଲଂଘନକାରୀଙ୍କଠାରୁ ୧୦ଗୁଣା ପର୍ଯ୍ୟନ୍ତ ଜରିମାନା ଆଦାୟ ଆରମ୍ଭ ହୋଇଛି। ରବିବାର ପ୍ରଥମ ଦିନରେ ଯାଞ୍ଚ କଡାକଡି କରାଯିବାରୁ ନିୟମ ମାନୁ ନ ଥିବା ଲୋକେ ୨ଲକ୍ଷ ୧୩ହଜାର ଟଙ୍କା ତଣ୍ଡ ଗଣିଥିଲେ। ତେବେ ସୋମବାର ଲୋକେ ବେଶ୍‌ ସଚେତନ ହୋଇପଡିଥିବା ଦେଖିବାକୁ ମିଳିଥିଲା। ଯେଉଁ ଅଞ୍ଚଳରେ ଯାଞ୍ଚ ହେଉଥିବା ଜାଣୁଥିଲେ ଗାଡ଼ି ଚାଳକମାନେ ହେଲ୍‌ମେଟ ଓ ସିଟ୍‌ ବେଲ୍ଟ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ। ଅନ୍ୟପକ୍ଷରେ ଗଣେଶ ପୂଜା ପାଇଁ ଟ୍ରାଫିକ ପୋଲିସ ପକ୍ଷରୁ ଏହି କଟକଣା କୋହଳ କରାଯାଇଥିଲା। ପୂର୍ବରୁ ଚେକିଂ କରାଯାଉଥିବା ସ୍ଥାନରେ ପୋଲିସ ନୂଆ ନିୟମ ସଂକ୍ରାନ୍ତରେ ସଚେତନ କରିଥିଲେ। ପୋଲିସ ହାତରେ ଇ-ଚାଲାଣ ମେଶିନ ବଦଳରେ ଥିଲା ଲିଫ୍‌ଲେଟ୍‌। ରାଜଧାନୀର ପ୍ରମୁଖ ଛକ ଏଜି ଛକ, ନାଲ୍‌କୋ ଛକ, ଆଚାର୍ଯ୍ୟ ବିହାର ଛକ, ଜୟଦେବ ବିହାର ଛକ, ଲକ୍ଷ୍ମୀସାଗର, ବଡ଼ଗଡ, ପଟିଆ ଆଦି ଅଞ୍ଚଳର ଛକ ସ୍ଥାନରେ ପୋଲିସ ନିୟମ ଉଲ୍ଲଂଘନକାରୀ ଗାଡି ଚାଳକଙ୍କୁ ଅଟକାଇ ସଚେତନ କରିଥିଲା। ମଙ୍ଗଳବାରଠାରୁ ପୁନର୍ବାର ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ଟ୍ରାଫିକ ଏସିପି କେ.କେ ପାଣିଗ୍ରାହୀ କହିଛନ୍ତି।