ଗଣିତ ପ୍ରଫେସର ଅଭାବ:ରାଜ୍ୟରୁ ପୂରଣ ହୋଇପାରିଲାନି ଆଇଏମ୍‌ଏ ନିର୍ଦ୍ଦେଶକ ପଦ

ଭୁବନେଶ୍ୱର,୨୨ା୧(ବ୍ୟୁରୋ):ରାଜ୍ୟରେ ଡିଗ୍ରୀ କଲେଜଗୁଡ଼ିକରେ ଗଣିତ ପ୍ରଫେସର ପାହ୍ୟାର ଶିକ୍ଷକଙ୍କ ଅଭାବ ପରିଲଖିତ ହୋଇଛି। ନିକଟରେ ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଥମେଟିକ୍ସ ଏଣ୍ଡ ଆପ୍ଲିକେଶନ୍ସ(ଆଇଏମ୍‌ଏ)ରେ ନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟାରୁ ଏହା ଜଣାପଡିଛି। କାରଣ ଆଇଏମ୍‌ଏ ନିର୍ଦ୍ଦେଶକ ପଦବୀ ପାଇଁ ଓଡ଼ିଶାରୁ କୌଣସି ପ୍ରଫେସରଙ୍କୁ ଅବସ୍ଥାପିତ କରାଯାଇପାରିଲା ନାହିଁ। ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ରଙ୍କ ପକ୍ଷରୁ ଏନେଇ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସଚିବ ଡି.କେ. ସିଂଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ସେହିଭଳି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ଏହି ପଦ ପାଇଁ ସର୍ବଭାରତୀୟସ୍ତରରେ ବିଜ୍ଞାପନ ବାହାର କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏ ପ୍ରସଙ୍ଗରେ ଶିକ୍ଷାବିତ୍‌ ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି ଯେ କେବଳ ଗଣିତ ବିଷୟରେ ନୁହେଁ, ପ୍ରାୟ ସମସ୍ତ ପ୍ରମୁଖ ବିଷୟରେ ପ୍ରଫେସର ପାହ୍ୟାର ଶିକ୍ଷକଙ୍କର ଅଭାବ ରହିଛି। ଏହି ସବୁ ଶୂନ୍ୟସ୍ଥାନକୁ ପୂରଣ କରିବା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ଉଚିତ ବୋଲି ଆଚାର୍ଯ୍ୟ କହିଛନ୍ତି।