ଗଣମାଧ୍ୟମ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ

କେନ୍ଦ୍ରାପଡା ଅଫିସ, ୩।୩: ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ। ଗ୍ରାମାଞ୍ଚଳରେ କାର୍ଯ୍ୟରତ ଖବରଦାତାମାନେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ପ୍ରଚାର ପ୍ରସାର କରି ଲୋକଙ୍କ ନିକଟରେ ପହଞ୍ଚାଇଥାନ୍ତି। ଯୋଜନାର ତ୍ରୁଟି ବିଚ୍ୟୁତିକୁ ପ୍ରକାଶ କରି ପ୍ରଶାସନକୁ ସଜାଗ ଓ ପାରଦର୍ଶୀ କରାଇଥାନ୍ତି ବୋଲି କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ଭୁବନେଶ୍ୱରସ୍ଥ ପ୍ରେସ୍‌ ଇନ୍‌ଫରମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଡିଆରଡିଏ ହଲରେ ସୋମବାର ଅନୁଷ୍ଠିତ କର୍ମଶାଳାରେ ଓଡ଼ିଶା ପ୍ରାନ୍ତର ଅତିରିକ୍ତ ମହାନିର୍ଦ୍ଦେଶକ ଶୈଳେଶ କୁମାର ମାଲବ୍ୟ ମତବ୍ୟକ୍ତ କରିଛନ୍ତି। ଅତିରିକ୍ତ ମହାନିର୍ଦ୍ଦେଶକ ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ଏଡିଏମ୍‌ ବସନ୍ତ କୁମାର ରାଉତ ଯୋଗଦେଇ କହିଥିଲେ ଯେ, ପ୍ରଶାସନ ଓ ଗଣମାଧ୍ୟମର ସହଯୋଗ ଦ୍ୱାରା ଯୋଜନାର ସଫଳ ରୂପାୟନ ହୋଇଥାଏ। ରିସୋର୍ସ ପର୍ଶନ ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଏସ୍‌ଡିଓ ବିଜୟ କୁମାର କର ସ୍ବଚ୍ଛ ଭାରତ ସମ୍ପର୍କରେ ଆଲୋକପାତ କରିଥିଲେ। କୃଷି ଅଧିକାରୀ ମନୋଜ କୁମାର ମହାନ୍ତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ସ୍ବାସ୍ଥ୍ୟକାର୍ଡ, ନିମ ଯୁକ୍ତ ୟୁରିଆ ଯୋଗାଣ, ପିଏମ୍‌ କିଶାନ ଯୋଜନା ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଓରମାସର କାର୍ଯ୍ୟନିର୍ବାହୀ ଅଧିକାରୀ ଆଶିଷ କୁମାର ରାଉଳ ସ୍କିଲ୍‌ ଇଣ୍ଡିଆ ଓ ପ୍ରଧାନମନ୍ତ୍ରୀ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ଓଏଲଏମ ଜିଲା ପ୍ରକଳ୍ପ ପରିଚାଳିକା ସତ୍ୟଭାମା ପ୍ରଧାନ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଓ ମହିଳା ସଶକ୍ତୀକରଣ ସମ୍ପର୍କରେ ସୂଚନା ଦେଇଥିଲେ। ପିଆଇବି ଗଣ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ସମ୍ୟକ୍‌ ସୂଚନା ସହିତ ପ୍ରାରମ୍ଭରେ ଡିଜିଟାଲ ଇଣ୍ଡିଆ, ଉଜ୍ୱଳା ଆଦି କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ମତ ରଖିଥିଲେ। କର୍ମଶାଳାରେ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ, ପରିକ୍ଷିତ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଖବରଦାତାଙ୍କ ସହିତ ମତ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।