ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇପାରିବୁ ନାହିଁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୪ା୪: ଦିଲ୍ଲୀର ନିଜାମୁଦ୍ଦିନ ମରକଜ୍‌ରେ ଆୟୋଜିତ ତବଲିଘି ଜମାତ୍‌କୁ କରୋନା ସଂକ୍ରମଣ ସହ ଯୋଡ଼ି ସାମ୍ପ୍ରଦାୟିକୀକରଣ କରିଥିବା ଗଣମାଧ୍ୟମ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ହୋଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ଏସ୍‌. ଏ. ବୋବ୍‌ଡେ କହିଛନ୍ତି, ଆମେ ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କୌଣସି ନିର୍ଦ୍ଦେଶ ଦେବୁ ନାହିଁ। ପ୍ରଧାନ ବିଚାରପତି ବୋବ୍‌ଡେ, ଜଷ୍ଟିସ ଏଲ୍‌.ଏନ୍‌. ରାଓ ଏବଂ ଜଷ୍ଟିସ ଏମ୍‌.ଏମ୍‌. ଶାନ୍ତନାଗୋଦାରଙ୍କ ଖଣ୍ଡପୀଠ ଏଭଳି ଖବରଗୁଡ଼ିକ ଉପରେ ଦୀର୍ଘକାଳୀନ ପଦକ୍ଷେପ ନିଆଯାଇପାରେ କହି ମାମଲାକୁ ୨ ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି। ଏହି ମାମଲାରେ ପ୍ରେସ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆକୁ ପକ୍ଷଭୁକ୍ତ କରାଯିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି। ଜମାୟତ ଉଲେମା-ଇ-ହିନ୍ଦ୍‌ ପକ୍ଷରୁ ସର୍ବୋଚ୍ଚ ଅଦାଲତରେ ଉପରୋକ୍ତ ଆବେଦନ କରାଯାଇଥିଲା। ସେହିପରି କୋଭିଡ୍‌-୧୯ ରୋଗୀଙ୍କ ନାମ ପ୍ରକାଶ କରି ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୋଧରେ ହିଂସା ସୃଷ୍ଟି କରାଯାଉଛି ବୋଲି ଦର୍ଶାଇ ଆଉ ଦୁଇଟି ପିଟିଶନ ଡି. ଜେ. ହାଲି ଫେଡେରେଶନ ଅଫ୍‌ ମସ୍‌ଜିଦ, ମଦାରିସ୍‌ ଏବଂ ଅବଦୁଲ କୁଦ୍ଦୁସ୍‌ ଲାକର ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିଲା। ଏହି ୨ ଆବେଦନର ମଧ୍ୟ ଶୁଣାଣି ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ଆଡ୍‌ଭୋକେଟ ଅଦିଲ ଅହମ୍ମଦ କହିଥିଲେ ଯେ, କରୋନା ରୋଗୀଙ୍କ ନାମ ସାର୍ବଜନୀନ ହେବା ପରେ କର୍ନାଟକରେ ହିଂସା ଘଟିଛି। ଗଣମାଧ୍ୟମ କରୋନା ରୋଗୀଙ୍କ ନାମ ଓ ଠିକଣା ପ୍ରକାଶ କରିବା ଆଇନ ବିରୁଦ୍ଧ। କୋର୍ଟ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ଅହମ୍ମଦ ଯୁକ୍ତି ବାଢ଼ିଥିଲେ। ଏନେଇ ଖଣ୍ଡପୀଠ କହିଥିଲେ ଯେ, ଆବେଦନକାରୀଙ୍କ ନିବେଦନ ହତ୍ୟା ଓ ମାନହାନି ସମ୍ପର୍କିତ ହୋଇଥିଲେ ତାହାର ପ୍ରତିକାର ଅନ୍ୟତ୍ର କରାଯାଇପାରିବ।

Share