Categories: କନ୍ଧମାଳ

ଗଣବଳାତ୍କାର ମାମଲା: ଜଣେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ

ଫୁଲବାଣୀ ଅଫିସ, ୧୯ା୯-କନ୍ଧମାଳ ଜିଲା ଖଜୁରିପଡା ଥାନା ଅଞ୍ଚଳରେ ୨୦୧୫ରେ ହୋଇଥିବା ଏକ ଗଣବଳାତ୍କାର ମାମଲାର ରାୟ ବୁଧବାର ପ୍ରକାଶ ପାଇଛି ା ଫୁଲବାଣୀ ଅତିରିକ୍ତ ଦୌରାଜଜ୍‌ ତଥା ପୋକ୍‌ସୋ କୋର୍ଟ ବିଚାରପତି ସମରବିଳାସ ବେହେରା ଜଣେ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲ ଭୋଗିବା ପାଇଁ ରାୟରେ ଉଲ୍ଲେଖ ରହିଛି। ଅଭିଯୁକ୍ତ ଜଣକ ହେଲେ ଖଜୁରିପଡା ଥାନା କୁକୁର୍‌କୁମ୍ପାର ଦଶରଥ ସେଠୀ ଓରଫ ବୁଲୁ ।
ଖଜୁରିପଡ଼ା ଥାନା ଅଞ୍ଚଳର ନାବାଳିକା ଜଣଙ୍କ ୨୦୧୫ ମସିହା ଅଗଷ୍ଟ ୨୯ ତାରିଖ ରାତି ପ୍ରାୟ ୧୧ଟାରେ ଘର ପାଖ ପଡ଼ିଆକୁ ଶୌଚ ହେବାକୁ ଯାଇଥିଲେ ା ଫେରିବା ବେଳେ ପଡ଼ିଆ ପାଖ ଏକ ଗଛ ମୂଳରେ ଠିଆ ହୋଇଥିବା ଦଶରଥ ଓ ତାଙ୍କ ସହଯୋଗୀ ନାବାଳିକାଙ୍କ ପାଟିକୁ ବନ୍ଦ କରି ତଣ୍ଟି ଚିପି କିଛି ଦୂର ନେଇ ଯାଇଥିଲେ। ଏକ ଗଛ ମୂଳକୁ ନେଇ ସେଠାରେ ଦଶରଥ ନାବାଳିକାଙ୍କୁ ବଳାତ୍କାର କରିଥିବା ବେଳେ ସହଯୋଗୀ ଜଣକ ତାଙ୍କୁ ସହଯୋଗ କରିଥିଲେ ା ଘଟଣା ବିଷୟରେ ଅନ୍ୟ କାହାରିକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏପଟେ ଝିଅ ନ ଫେରିବାରୁ ମା’ ଏବଂ ଭଉଣୀ ପଡିଆ ଆଡ଼େ ଖୋଜିବାକୁ ଯାଉଥିବା ବେଳେ ଅଭିଯୁକ୍ତଦ୍ୱୟ ଫେରାର ହୋଇଯାଇଥିଲେ ା ନାବାଳିକା ଅସୁସ୍ଥ ଥିବାରୁ ସେ ଘଟଣାର ୨ ଦିନ ପରେ ଅର୍ଥାତ୍‌ ୩୧ ତାରିଖରେ ଥାନାରେ ଏତଲା ଦେଇଥିଲେ। ପୋଲିସ ଏ ନେଇ ନଂ.୯୫/୧୫ରେ ମାମଲା ରୁଜୁ କରି ଦଶରଥଙ୍କୁ ଗିରଫ କରିଥିଲା ା ଅନ୍ୟ ଅଭିଯୁକ୍ତ ଜଣକ ଏବେ ବି ଫେରାର ଅଛନ୍ତି। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ କୁମାର ପ୍ରହରାଜ ମାମଲା ପରିଚାଳନା କରୁଥିଲେ ା