ଗଣତନ୍ତ୍ରରେ ଭିନ୍ନମତକୁ ଗ୍ରହଣ କରୁନାହିଁ କେନ୍ଦ୍ର ସରକାର: କଂଗ୍ରେସ

ଭୁବନେଶ୍ୱର,୬।୧(ବ୍ୟୁରୋ): ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ରେ ରବିବାରଠାରୁ ଉପୁଜିଥିବା ଛାତ୍ର ହିଂସା ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ କଂଗ୍ରେସ। ଉକ୍ତ ଘଟଣାକୁ ନିନ୍ଦା କରିବା ସହ ଦୋଷୀମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ ସହିତ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ତଦନ୍ତ କରାଯାଉ ବୋଲି ସୋମବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଡ. ଦେବାଶିଷ ପଟ୍ଟନାୟକ ଓ ଲିନେଶ ଦାସ କହିଛନ୍ତି। ସେମାନେ ପୁଣି କହିଛନ୍ତି, ଗଣତନ୍ତ୍ରରେ ଭିନ୍ନମତକୁ ଗ୍ରହଣ କରିପାରୁନାହିଁ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର। ଜେଏନ୍‌ୟୁ ହଷ୍ଟେଲ ଭିତରେ ଅନ୍ତେବାସୀଙ୍କୁ ଆକ୍ରମଣ ଘଟଣାରୁ ଏହା ସ୍ପଷ୍ଟ ପ୍ରତୀୟମାନ ହେଉଛି। ଗଣତନ୍ତ୍ରରେ ଭିନ୍ନମତ ପୋଷଣ କରୁଥିବା  ବ୍ୟକ୍ତି ବିଶେଷଙ୍କ ଉପରେ ଏହା ସରକାରୀ ପ୍ରାୟୋଜିତ ଆକ୍ରମଣ ବୋଲି କଂଗ୍ରେସ ସିଧାସଳଖ ଆର୍‌ଏସ୍‌ଏସ୍‌ ଓ ଭାଜପାକୁ ଟାର୍ଗେଟ କରିଛି। ଜେଏନ୍‌ୟୁ ଘଟଣା ସାରା ଦେଶରେ ଛାତ୍ର ସମାଜ ଲାଗି ଏକ ଆହ୍ବାନ। ଗଣତନ୍ତ୍ରରେ ଭିନ୍ନମତ ରଖୁଥିବା ବ୍ୟକ୍ତିଙ୍କୁ ଗୁରୁତ୍ୱ ଦିଆଯାଇଥାଏ। ମାତ୍ର ମୋଦି ସରକାର ଏହାକୁ ଚପାଇ ଏକଚ୍ଛତ୍ରବାଦ ଶାସନ ଚଳାଇଛନ୍ତି। ଜାମିଆ-ଇସ୍‌ଲାମିଆ ଏବଂ ଜେଏନ୍‌ୟୁ ଘଟଣା ଏହାର ସ୍ପଷ୍ଟ ଉଦାହରଣ।