Categories: କଟକ

ଗଡ଼ିଲା ସୀମିତ ସଂଖ୍ୟକ ଘରୋଇ ବସ୍‌

କଟକ ଅଫିସ,୨୮ା୫- ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ନିଷ୍ପତ୍ତି ଅନୁଯାୟୀ ଗୁରୁବାର ବସ୍‌ ଚଳାଚଳ ଆରମ୍ଭ କରିଛି। ତେବେ ଆବଶ୍ୟକ ସଂଖ୍ୟକ ଯାତ୍ରୀ ନ ହେବାରୁ ସମସ୍ତ ବସ୍‌ ଗଡ଼ିନାହିଁ। କଟକରୁ ମାତ୍ର ୪ଟି ବସ୍‌ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିବାବେଳେ ଅନ୍ୟ ଜିଲାରୁ ୨ଟି ବସ୍‌ ଆସିଥିଲା। ସବୁ ବସ୍‌ରେ ଅଧାରୁ ଅଧିକ ସିଟ୍‌ ଖାଲିପଡ଼ିଥିଲା। ଅନ୍ୟପକ୍ଷରେ ବସ୍‌ରେ ଯିବାକୁ କେତେଜଣ ଯାତ୍ରୀ ବାଦାମବାଡ଼ି ବସ୍‌ଷ୍ଟାଣ୍ଡକୁ ଆସିଥିଲେ। ମାତ୍ର ଷ୍ଟାଣ୍ଡରେ ବସ୍‌ ନ ଥିବାବେଳେ ସୂଚନାକେନ୍ଦ୍ରରେ ତାଲା ଝୁଲୁଥିବା ଦେଖି ନିରାଶ ହୋଇ ଫେରିଥିଲେ।
ଦୀର୍ଘଦିନର ବ୍ୟବଧାନ ପରେ ରାଜ୍ୟର ପ୍ରମୁଖ ବସ୍‌ଷ୍ଟାଣ୍ଡ ଭାବେ ଜଣାଶୁଣା ବାଦାମବାଡ଼ି ବସଷ୍ଟାଣ୍ଡ ଚଳଚଞ୍ଚଳ ହେବ ବୋଲି ଆଶା କରାଯାଉଥିଲା। ଗୁରୁବାର ଭୋରୁ ବାଦାମବାଡ଼ି ଅଞ୍ଚଳରେ ଦୋକାନବଜାର ଖୋଲିବା ସହିତ ଅଟୋଗୁଡ଼ିକର ଭିଡ଼ ଲାଗିଥିଲା। ସହରର ଏହି ପ୍ରମୁଖ ସ୍ଥାନ ଲୋକାରଣ୍ୟ ହେବ ବୋଲି ଛୋଟ ବ୍ୟବସାୟୀମାନେ ଆଶା ରଖିଥିଲେ। ହେଲେ ସକାଳ ଯାଇ ଅପରାହ୍ନ ହୋଇଥିଲେ ବି ବାଦାମବାଡ଼ି ସେହିଭଳି ଖାଁଖାଁ ରହିଥିଲା। ସେହିପରି ବାଦାମବାଡ଼ି ନିକଟ ଅନୁଗୋଳ ଓ ପୁରୀ ବସ୍‌ଷ୍ଟାଣ୍ଡରୁ ମଧ୍ୟ କୌଣସି ବସ୍‌ ଯାତ୍ରା କରିନାହିଁ। କଟକ ଜିଲା ଘରୋଇ ବସ୍‌ ମାଲିକ ସଂଘ ସଭାପତି ଅଜୟ କୁମାର ବାରିକଙ୍କ କହିବା ଅନୁଯାୟୀ, ପ୍ରଥମ ଦିନରେ ମାତ୍ର ୪ଟି ବସ୍‌ ବାଦାମବାଡ଼ିରୁ ଯାତ୍ରା କରିଥିଲା। ସକାଳୁ ଭୁବନେଶ୍ୱର ଓ ପାରାଦ୍ୱୀପକୁ ଗୋଟିଏ ଲେଖାଏ ବସ୍‌ ଯାଇଛି। ଏଥିରେ ଖୁବ କମ୍‌ ସଂଖ୍ୟକ ଲୋକ ଯାଇଥିଲେ। ଯେଉଁଥିରୁ ଲାଭାଂଶ ମିଳିବା କାଠିକର ପାଠ। ଭଦ୍ରକ ଓ ବାରିପଦାରୁ ଯେଉଁ ଦୁଇଟି ବସ୍‌ କଟକ ଆସିଥିଲା, ସେଥିରେ ଯାତ୍ରୀ ନ ଯିବାରୁ ତାହା ସିଟ୍‌ ଖାଲି ରଖି ପୁନର୍ବାର ଫେରିଯାଇଥିଲା। ଏହାଛଡ଼ା ବସ୍‌ ଚଳାଚଳ ନିମନ୍ତେ ଏବେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି। ଅଧାରୁ ଅଧିକ ବସ୍‌ କର୍ମଚାରୀ ଗାଁକୁ ଚାଲିଯାଇଛନ୍ତି। ସେମାନଙ୍କୁ ଡକା ସରିଛି। ସେମାନେ ଖୁବଶୀଘ୍ର କଟକ ଆସିବେ। ଶୁକ୍ରବାରଠାରୁ ବସ୍‌ ଚଳାଚଳ ପାଇଁ ଆମେ ଦୃଷ୍ଟି ଦେବୁ। ତେବେ ଯାତ୍ରୀ ନ ହେଲେ ଏଭଳି ସ୍ଥିତି ଜାରି ରହିବ ଓ ବସ୍‌ ମାଲିକମାନେ କ୍ଷତି ସହିବେ ବୋଲି ବାରିକ କହିଛନ୍ତି।