ଗଞ୍ଜେଇ ବୋଝେଇ କାର ଦୁର୍ଘଟଣାଗ୍ରସ୍ତ, ଜଣେ ଗିରଫ

ସୋନପୁର,୫।୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାର ବିଭିନ୍ନ ରାସ୍ତା ଦେଇ ରାଜ୍ୟ ଓ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀମାନେ ପୋଲିସ ଓ ଅବକାରୀ ବିଭାଗର ଅଖିରେ ଧୁଳି ଦେଇ ନକଲି ନମ୍ବର ପ୍ଲେଟ ଲଗାଇ ଭିଆଇପି ଗାଡିରେ ଚାଲାଣ କରୁଛନ୍ତି। ଗୁରୁବାର ସୁବର୍ଣ୍ଣପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ବୌଦ୍ଧ ଜିଲା କଣ୍ଟାମାଳ ଥାନା କଲରାକୋଠ ଗ୍ରାମର ଦୁର୍ଗାପ୍ରସାଦ ଖଟୁଆ(୧୯)ଙ୍କୁ ଗିରଫ କରାଯାଇଛି। ତେବେ ଏସକର୍ଟ ଗାଡି ଓ ଛତିଶଗଡର ଗଞ୍ଜେଇ ବ୍ୟବସାୟୀ ଫେରାର ହୋଇ ଯାଇଛନ୍ତି। ପ୍ରକାଶ ଯେ, ଏକ ହୋଣ୍ଡା ସିଟି କାରରେ ଗଞ୍ଜେଇ ଚାଲାଣ ହେଉଥିବା ସୁବର୍ଣ୍ଣପୁର ଅବକାରୀ ଅଧିକ୍ଷକ ସାମୁଏଲ ଏକ୍କାଙ୍କୁ ସୂଚନା ମିଳିଥିଲା। ଅବକାରୀ ବିଭାଗ ଟିମ୍‌ ସୋନପୁର-ବିନିକା ରାସ୍ତାର କଳାପଥର ଛକରୁ କାର ନକଲି ନଂ ଓଡି୩୧ସି-୦୦୦୯କୁ ପିଛା କରିଥିଲା। ଡ୍ରାଇଭର ଭାରସାମ୍ୟ ହରାଇବାରୁ ସଂସାମୁରା ଛକ ନିକଟରେ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ କାର ଡ୍ରାଇଭର ଫେରାର ହୋଇ ଯାଇଥିଲେ। କାର ଓ ୧୦୫ଟି ପ୍ୟାକେଟ୍‌ରେ ଥିବା ୧ କୁଇଣ୍ଟାଲ ଗଞ୍ଜେଇକୁ ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି। ତେବେ କାରରେ ଓଡିଶାର ନକଲି ନମ୍ବର ପ୍ଲେଟ ଲାଗିଥିଲା। ଭିତରେ ଅସଲି ନମ୍ବର ପ୍ଲେଟ୍‌ ୟୁପି ୮୦ବିଏଫ-୦୮୧୦ ଯାଇଥିବା ତଦନ୍ତରୁ ଜଣାପଡିଛି। ଶୁକ୍ରବାର ଅଭିଯୁକ୍ତ ଦୁର୍ଗାପ୍ରସାଦଙ୍କୁ କୋର୍ଟ ଚାଲାଣ କରାଯିବ।