ଗଞ୍ଜେଇ, କଫ୍‌ ସିରପ୍‌ ଚାଲାଣ ବେଳେ ଠାବ: ପିସ୍ତଲ, ଗୁଳି ଜବତ, ୬ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୨୧।୩: ବରଗଡ଼ ଜିଲା ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଓ ବରପାଲି ଥାନା ପୋଲିସ ଶନିବାର କଫ ସିରପ ଏବଂ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଠାବ କରିଛି। ଏହା ବରପାଲି ରାସ୍ତାର ଏକ ଢାବା ନିକଟରେ ଠାବ ହୋଇଥିବା ବେଳେ ଘଟଣାରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ମହାନ୍ତିପଡ଼ାର ଶେଖ ମଇନୁଦ୍ଦିନ, ୱାର୍ଡ ନଂ-୧୧ର ଶେଖ ହଇଦାନ, ବିଞ୍ଝାଲପଡ଼ାର ଲିଙ୍ଗରାଜ ମେହେର, ଭଟଲି ଥାନା ନୂଆଗଡ଼ର କମଳ ବେହେରା, ବଡ଼ମାଳର ସୂର୍ଯ୍ୟକାନ୍ତ ସାହୁ ଏବଂ ପରେଶ ସାହୁ। ସେମାନଙ୍କ ପାଖରୁ ୩ଟି ୪ଚକିଆ ଗାଡ଼ି, ୭୨ କି.ଗ୍ରା ଗଞ୍ଜେଇ, ୧୬୦୦ ବୋତଲ କଫ୍‌ ସିରପ୍‌, ୮ଟି ମୋବାଇଲ, ନଗଦ ୨ଲକ୍ଷ ୮୯ହଜାର ୮ଶହ ଟଙ୍କା, ୨ଟି ପିସ୍ତଲ ଏବଂ ୧୭ଟି ଗୁଳି ଜବତ କରାଯାଇଛି। ବରପାଲି ଥାନାରେ ଏ ନେଇ ଏକ ମାମଲା ୭୫/୨୦ରେ ରୁଜୁ ହୋଇଥିବା ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି।