ଗଞ୍ଜାମ ହୋଇନି ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ଜିଲା

ଛତ୍ରପୁର,୧୦ା୨(ଡି.ଏନ.ଏ.)-ଗଞ୍ଜାମ ଜିଲା ସମ୍ପୂର୍ଣ୍ଣ ଭାବେ ବାହ୍ୟ ମଳମୁକ୍ତ ହୋଇ ନ ଥିବା ଜଣାପଡିଛି। ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ)ରେ ଗ୍ରାମାଞ୍ଚଳରେ ନିର୍ମାଣ କରାଯାଉଥିବା ଲକ୍ଷ୍ୟ ପୂରଣ ହେବା ପରେ ଗଞ୍ଜାମକୁ ବାହ୍ୟ ମଳମୁକ୍ତ ଜିଲା ଭାବେ ଘୋଷଣା କରାଯାଇଥିଲା। ଅପରପକ୍ଷରେ ସ୍ବଛ ଭାରତ ମିଶନ ଯୋଜନାକୁ ସଫଳ ରୂପାୟନ ପରେ ମଧ୍ୟ ଆହୁରି ଅନେକଙ୍କ ଘରେ ପାଇଖାନା ନିର୍ମାଣ ହୋଇପାରିନି। ବେସ୍‌ ଲାଇନ୍‌ ସର୍ଭେ କରି ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ)ରେ ଗଞ୍ଜାମ ଜିଲାର ୩ ଲକ୍ଷ ୫୬ ହଜାର ୭୮୮ ଜଣଙ୍କ ଘରେ ପାଇଖାନା ନିର୍ମାଣ କରାଯାଇଥିଲା। ଯାହାକି ଶତ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଥିଲା।
ଏହାପରେ ପୁଣି ସର୍ଭେ କରିବା ପରେ ଜିଲାର ଆହୁରି ୪୧ ହଜାର ୫୧୩ ଜଣଙ୍କ ଘରେ ପାଇଖାନା ନ ଥିବା ଜଣାପଡିଥିଲା। ଏଥିରୁ ୩୦ ହଜାର ୯୭୬ ଘରେ ପାଇଖାନା ନିର୍ମାଣ ସରିଛି। ଏହି ଯୋଜନାରେ ଆହୁରି ୧୦ ହଜାର ୫୩୭ ଜଣଙ୍କ ଘରେ ପାଇଖାନା ନିର୍ମାଣ କାର୍ଯ୍ୟ ସାରିବାକୁ ବାକି ରହିଛି। ଏହାପରେ ପୁଣି ସର୍ଭେ କରାଯାଇଥିଲା। ପୁଣି ୨୧ ହଜାର ୫୮୭ ଜଣଙ୍କ ଘରେ ପାଇଖାନା ନ ଥିବା ଜଣାପଡିଥିଲା। ଏମାନଙ୍କ ଘରେ ପାଇଖାନା ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ଗଞ୍ଜାମ ଜିଲା ପରିମଳ ମିଶନ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଜିଲାର ଆହୁରି ୩୨ ହଜାର ୧୨୪ ଜଣଙ୍କ ଘରେ ଏବେବି ପାଇଖାନା ନାହିଁ। ଜିଲାର ୪ଲକ୍ଷ ୧୯ ହଜାର ୮୮୮ ଙ୍କ ଘରେ ପାଇଖାନା ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୮୭ ହଜାର ୭୬୪ଙ୍କ ଘରେ ପାଇଖାନା ନିର୍ମାଣ ହୋଇଛି। ପାଇଖାନା ନିର୍ମାଣ କାର୍ଯ୍ୟ ସାରିବାରେ ବିଳମ୍ବ ଯୋଗୁ ମାସକ ପୂର୍ବେ ଜିଲାର ୧୬ ବ୍ଲକର ୩୨ କନିଷ୍ଠ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା।
ଏହାପରେ ଚିତ୍ରରେ କିଛିଟା ସୁଧାର ଆସିଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ, ଆସିକା ବ୍ଲକର ୮୮୮ ଙ୍କ ଘରେ ପାଇଖାନା ନ ଥିବାବେଳେ ବେଗୁନିଆପଡାର ୨୯୩୦, ବେଲଗୁଣ୍ଠାର ୮୬୬, ଭଞ୍ଜନଗରର ୧୭୧୮, ବୁଗୁଡାର ୧୬୨୫, ଛତ୍ରପୁରର ୩୬୫, ଚିକିଟିର ୧୭୨୯, ଧରାକୋଟର ୯୯୭, ଦିଗପହଣ୍ଡିର ୩୪୦, ଗଞ୍ଜାମର ୯୪୬, ହିଞ୍ଜିଳିର ୧୦୯୦, ଜଗନ୍ନାଥପ୍ରସାଦର ୧୦୭୩, କବିସୂର୍ଯ୍ୟନଗରର ୨୧୦୩, ଖଲ୍ଲିକୋଟର ୮୬୪, କୁକୁକଡାଖଣ୍ଡିର ୭୮୩, ପାତ୍ରପୁରର ୨୯୪୩, ପୋଲସରାର ୯୮୩, ପୁରୁଷୋତ୍ତମପୁରର ୧୨୨୯, ରଙ୍ଗେଇଲୁଣ୍ଡାର ୧୩୧୬, ସାନଖେମୁଣ୍ଡିର ୧୩୭୩, ଶେରଗଡର ୧୯୯୧ ଓ ସୋରଡା ବ୍ଲକର ୯୦୭ ଙ୍କ ଘରେ ପାଇଖାନା ନାହିଁ।