ଗଞ୍ଜାମ ସ୍ଥିତି ସାଙ୍ଘାତିକ: ସୁରଟରୁ ସୁନାମି ଭଳି ଆସୁଛନ୍ତି କରୋନା ପଜିଟିଭ୍‌

ବ୍ରହ୍ମପୁର ଅଫିସ,୯।୫ – ବିଶ୍ୱରେ କରୋନା ଭୁତାଣୁ ଏବେ ଆତଙ୍କ ସୃଷ୍ଟି କରିଛି। ଏହାକୁ ନେଇ ରାଷ୍ଟ୍ର ସମୁଦାୟ ଭୟଭୀତ ହେବା ସହ ଆଶା ଆଶଙ୍କାରେ ଦିନ କାଟୁଛନ୍ତି। ଏହିଧାରାରେ ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗ୍ରୀନଜୋନ୍‌ରେ ଥିବା ଗଞ୍ଜାମ ଜିଲା ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟରେ ରେଡ୍‌ ଜୋନ ଭାବେ ହଠାତ ମୁଣ୍ଡଟେକି ଉଠିଛି। ଏବେ ଗଞ୍ଜାମର ସ୍ଥିତି ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି। ସୁରଟ ଫେରାନ୍ତ ପ୍ରବାସୀ ଓଡ଼ିଆଙ୍କ ପ୍ରତିଦିନ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି ।

ଏପ୍ରିଲ ୨୮ ତାରିଖରୁ ସୁରଟ ଫେରାନ୍ତାଙ୍କ ଘରବାହୁଡା ପରେ ଜିଲାରେ କରୋନା ଖାତା ଖୋଲିଥିଲା। ଗତ ୨ ତାରିଖରେ କରୋନା ଜିଲାରେ ଖାତା ଖୋଲିଥିଲା। ୨ ତାରିଖରେ ୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ରିପୋର୍ଟ ମିଳିଥିବା ବେଳେ ୪ ରେ ଜଣେ ଲେଖାଏ ଚିହ୍ନଟ ହୋଇଥିଲେ । ସେହିପରି ୬ ରେ ୧୭ ଜଣ, ୭ରେ ୨୬ ଜଣ, ୮ରେ ୨୪ ଜଣ ଓ ୯ରେ ୧୨ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗର ୱେବସାଇଟରେ ଉଲ୍ଲେଖ ରହିଛି। ଅନ୍ୟପଟେ ସୁରାଟରୁ ସୁନାମୀ ଭଳି କରୋନା ପଜେଟିଭ ମାଡି ଆସୁଛି ଏବେ ଗଞ୍ଜାମ ଜିଲାକୁ। ଯାହାଫଳରେ ଜିଲାର ସ୍ଥିତି ଏବେ ଅସମ୍ଭାଳ ହୋଇ ପଡିଛି।

ଲକଡାଉନ ପରେ ସୁଦୂର ସୁରଟ, ଚେନ୍ନାଇରେ ନିଜ ନିଜର ପରିବାରକୁ ଧରି ରହୁଥିବା ପ୍ରବାସୀ ଶ୍ରମିକମାନେ କମ୍ପାନୀ ବନ୍ଦ ହେବା ସହ ମାଲିକ ମାନଙ୍କର ଆକ୍ରୋଶ ର ଶିକାର ହୋଇଥିଲେ। ପେଟର ଅସମ୍ଭାଳ ଭୋକ ବାରମ୍ବାର ସେମାନଙ୍କୁ ଭିଟାମାଟି ଫେରିବାକୁ ସେମାନଙ୍କୁ ବାଧ୍ୟ କରିଥିଲା। ବିଭିନ୍ନ ଉପାୟରେ ସେମାନେ ପିଲାଛୁଆଙ୍କୁ ଧରି ନିଜର ଭିଟାମାଟି ଫେରୁଥିବା ବେଳେ ରାସ୍ତାରେ କାହାର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା ତ ଆଉ କେହି ଅସୁସ୍ଥ ହୋଇ ପ୍ରାଣ ହରାଇଥିଲେ । ଗୋଟିଏ ପଟେ ମୃତ୍ୟୁକୁ ଖାତିର ନ କରି ସୁରାଟ ଓ ଅନ୍ୟ ରାଜ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆ ମାନେ ଜନ୍ମଭୂମି ମୋହରେ ଘରବାହୁଡା ହେଉଛନ୍ତି।
ଗଞ୍ଜାମ ଜିଲାକୁ ଏହା ଭିତରେ ହଜାର ହଜାର ଶ୍ରମିକ ତାଙ୍କ ଜନ୍ମ ଭୂମିକୁ ଫେରିଛନ୍ତି । ଯାହାକି ଆଗାମୀ ଦିନରେ ଅଧିକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ଅନୁମାନ କରାଯାଉଛି। ଜୁନ ଓ ଜୁଲାଇରେ ଅଧିକ କରୋନା ପଜିଟିଭ ସାମ୍ନାକୁ ଆସିବାର ଅଧିକ ସମ୍ଭାବନା ରହିଥିବା ନେଇ ସର୍ବ ଭାରତୀୟସ୍ତରରେ ଆକଳନ କରାଯାଇଛି। ଜିଲାକୁ ଆସିଥିବା ୩୦ ହଜାରରୁ ଅଧିକ ସୁରଟ ଫେରନ୍ତାଙ୍କ ଯୁଦ୍ଧକାଳୀନ ଭିତ୍ତିରେ ନମୁନା ପରୀକ୍ଷା କରିବା ଆବଶ୍ୟକ ରହିଛି । ଏପରିକି ସଂଗରୋଧ କେନ୍ଦ୍ର ଅଞ୍ଚଳକୁ ସମ୍ପୂର୍ଣ ଭାବେ ସଟ୍‌ଡାଉନ୍‌ କରାଯାଉ ବୋଲି ଏମ୍‌କେସିଜି ମେଡିକାଲ ଅଧିକ୍ଷକ ପ୍ରଫେସର ଡ଼. ସନ୍ତୋଷ ମିଶ୍ର ସୂଚନା ଦେଇଛନ୍ତି। ସୁରାଟ ଫେରନ୍ତା ମାନେ ବସରେ ତିନିଦିନ ଧରି ବସ୍‌ ଓ ଟ୍ରେନ୍‌ରେ ଆସିଛନ୍ତି। ସେମାନେ ସେଥିରେ ସାମାଜିକ ଦୂରତା ଅବଲମ୍ବନ କରିନାହାନ୍ତି। ସେମାନେ ମିଳିମିଶି କରି ଯାତ୍ରା କରିଥିବାରୁ ସେମାନଙ୍କ ଫୋମାଇଟ ଓ ଡ୍ରପଲେଟ ଜନିତ ସଂକ୍ରମଣ ଆଶଙ୍କା ଅଧିକ ରହିଛି ବୋଲି ସେ କହିଛନ୍ତି।