ଗଞ୍ଜାମ ଜିଲା: ୧୩୫ ଜଣଙ୍କ କୋଭିଡ -୧୯ ଟେଷ୍ଟ ରିପୋର୍ଟକୁ ଅପେକ୍ଷା, ୧୦୫ ନେଗେଟିଭ୍‌

ଛତ୍ରପୁର,୭ା୧(ଡି.ଏନ୍‌.ଏ.)- ବ୍ରହ୍ମପୁର ବଡମେଡିକାଲରେ କୋଭିଡ-୧୯ ସାମ୍ପୁଲ ସଂଗ୍ରହ କରାଯାଇ ଟେଷ୍ଟିଂ ପାଇଁ ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସିକୁ ପଠାଯାଉଛି। ସୋମବାର ସନ୍ଧ୍ୟାସୁଦ୍ଧା ଗଞ୍ଜାମ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ ୨୪୦ କରୋନା ସନ୍ଦିଗ୍ଧଙ୍କ ସ୍ବାବ୍‌ ବ୍ରହ୍ମପୁର ଏମ୍‌କେସିଜି ପକ୍ଷରୁ ସଂଗ୍ରହ କରାଯାଇ ଭୁବନେଶ୍ୱର ପଠାଯାଇଥିଲା। ସେଥିମଧ୍ୟରୁ ୧୦୫ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି, ଆହୁରି ୧୩୫ ରିପୋର୍ଟ ଆସିବାକୁ ବାକି ରହିଛି ବୋଲି ଜିଲା ସ୍ବାସ୍ଥ୍ୟ ବିଭାଗ କହିଛି। ଗଞ୍ଜାମ ଜିଲାକୁ ଦେଶ ବାହାରୁ ୭୬୧ ଜଣ ଫେରିଥିବା ବେଳେ ୩୭୪ ଜଣଙ୍କ ହୋମ କ୍ୱରାଣ୍ଟାଇନ ଅବଧି ସରିଛି। ଅନ୍ୟ ୩୮୭ ଜଣ ହୋମ କ୍ୱରାଣ୍ଟାଇନରେ ଅଛନ୍ତି। ସେହିପରି ୨୮ହଜାର ୯୮ଜଣ ରାଜ୍ୟ ବାହାରୁ ଫେରିଥିବାବେଳେ ୫ ହଜାର ୪୯୫ ଜଣଙ୍କ ହୋମ କ୍ୱାରାଣ୍ଟାଇନ ଅବଧି ସରିଥିବା ଗଞ୍ଜାମ ଡିଆର୍‌ଡିଏ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।