ଗଞ୍ଜାମକୁ ଅନ୍ୟ ରାଜ୍ୟରୁ ଫେରିଲେଣି ୨ ଲକ୍ଷ ପ୍ରବାସୀ, ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ: ଜିଲାପାଳ

ଛତ୍ରପୁର,୧୭।୬(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ଜିଲାକୁ ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ୨ ଲକ୍ଷ ପ୍ରବାସୀ ଫେରିଲେଣି। ଏଥିଲାଗି ଗଞ୍ଜାମରେ କରୋନା ପଜିଟିଭ୍‌ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ଉକ୍ତ ପଜିଟିଭମାନଙ୍କ ସଂସ୍ପର୍ଶରେ ଆସି କରୋନା ଯୋଦ୍ଧା ଓ ଅନ୍ୟମାନେ ସଂକ୍ରମିତ ହୋଇ ପଜିଟିଭ ହେଉଛନ୍ତି। ଜିଲାରେ କୋଭିଡ ହସ୍ପିଟାଲ, କୋଭିଡ କେୟାର ସେଣ୍ଟର ଓ କୋଭିଡ ହେଲ୍‌ଥ ସେଣ୍ଟରରେ ୩ ହଜାର ଶଯ୍ୟା ରହିଥିବା ସୂଚନା ଦିଆଯାଇଛି।
ଅପରପକ୍ଷେ ଜିଲାରେ ବହୁ ସଂଖ୍ୟାରେ ଦୋକାନୀମାନେ ମାସ୍କ ଓ ଗ୍ଲୋବ୍ସ ପିନ୍ଧୁ ନ ଥିବା ଏବଂ ସାମାଜିକ ଦୂରତା ରକ୍ଷା କରୁ ନ ଥିବା କ୍ଷେତ୍ର ପରିଦର୍ଶନ ବେଳେ ଦେଖିବାକୁ ମିଳିଛି ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ବୁଧବାର ଜଣାଇଛନ୍ତି। ଏପରି କରି ନିଜେ ଓ ନିଜ ପରିବାର ପ୍ରତି ଦୋକାନୀ ଓ ଗ୍ରାହକ ବିପଦ ଆଣୁଛନ୍ତି। ନିୟମ ପାଳନ କରନ୍ତୁ ନଚେତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସତର୍କ କରାଇଦେଇଛନ୍ତି।