Categories: ମେଟ୍ରୋ

ଗଜେନ୍ଦ୍ର ପ୍ରସାଦ ସାହୁ ଓଡ଼ିଶା ଲଳିତ କଳା ଏକାଡେମୀ ସଚିବ

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ଓଡ଼ିଶା ଲଳିତ କଳା ଏକାଡେମୀର ନୂତନ ସଚିବ ଭାବେ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ସୋମବାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ବର୍ତ୍ତମାନ ବିକେ ଆର୍ଟ କଲେଜରେ ବରିଷ୍ଠ ଅଧ୍ୟାପକ ଭାବେ କାର୍ଯ୍ୟରତ। ୧୯୮୬ ଡିସେମ୍ବର ୧୨ରେ ମହାବିଦ୍ୟାଳୟରେ ମୁଦ୍ରଣ କଳା ବିଭାଗରେ ସେ ଯୋଗଦେଇଥିଲେ। ଗଜେନ୍ଦ୍ର ସାହୁ ଅଧ୍ୟାପନା ସମୟରେ ମହାବିଦ୍ୟାଳୟର ଉନ୍ନତି କରିବା ସହିତ ଜଣେ ପ୍ରିୟ ଶିକ୍ଷକ ଭାବେ ନାଁ କରିଛନ୍ତି। ଜାତୀୟ କ୍ରୀଡ଼ା ପୁରସ୍କାର ସହ ନବ କଳେବର ଲୋଗୋ(ଯାହା ଡାକ ଟିକଟ ଭାବେ ପରିଚିତ), ପାଇକ ବିଦ୍ରୋହର ମୁଦ୍ରା, ଦିଲ୍ଲୀ ସାଧାରଣତନ୍ତ୍ର ଦିବସରେ ପ୍ରଜ୍ଞାପନ ମେଢ଼ ଇତ୍ୟାଦି ପ୍ରସ୍ତୁତ କରି ଓଡ଼ିଶାକୁ ଗୌରବ ଆଣି ଦେଇଛନ୍ତି। ଏହାଛଡ଼ା ୫ଥର କଲମ କାଳି ଚିତ୍ର ମାଧ୍ୟମରେ ନୂଆଦିଲ୍ଲୀରେ ପ୍ରଦର୍ଶନୀ କରି ଓଡ଼ିଶାର କଳା ସଂସ୍କୃତିକୁ ସମଗ୍ର ବିଶ୍ୱରେ ପରିଚିତ କରିପାରିଛନ୍ତି। ତେବେ ଆସନ୍ତା ୨୦୨୦ ଏପ୍ରିଲ ୧୨ରୁ ୧୬ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ହେବାକୁ ଥିବା ପ୍ରଦର୍ଶନୀରେ ଆଉ ଏକ ବୃହତ୍‌ ଛବି ପ୍ରସ୍ତୁତ କରୁଛନ୍ତି, ଯାହାର ଆକାର ୨୦ଫୁଟx୮ଫୁଟ ରହିଛି। ଏହାକୁ ସେ କାନ୍‌ଭାସ୍‌ ଉପରେ କଲମ କାଳିରେ ପ୍ରସ୍ତୁତ କରୁଛନ୍ତି। ଏତେ ବଡ଼ କଲମ କାଳି ଛବି ଭାରତରେ ଆଗରୁ କେହି କରି ନ ଥିବା ଗଜେନ୍ଦ୍ର ସାହୁ ଦାବି କରିଛନ୍ତି। ଚିତ୍ରଶିଳ୍ପୀ ହେବା ସହିତ ସେ ଜଣେ କଣ୍ଠଶିଳ୍ପୀ ଭାବେ ମଧ୍ୟ ପରିଚିତ ଅଛନ୍ତି।