ଗଛ ଡାଳ କାଟିବାକୁ ନେଇ ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

କପ୍ତିପଦା,୨୩ା୧୨(ଡି.ଏନ୍‌.ଏ.) – ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଶରତ ଥାନା ଅଧୀନ ସରଡିହା ଭଣ୍ଡାର କଲୋନୀସାହିରେ ଗଛ ଡାଳ କାଟିବାକୁ କେନ୍ଦ୍ର କରି ରବିବାର ସନ୍ଧ୍ୟାରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୃତ ବୃଦ୍ଧ ଜଣକ ହେଲେ ସେହି ଗ୍ରାମର ସାହୁ ବିନ୍ଧାଣୀ(୬୫) । ଏହି ହତ୍ୟା ଘଟଣାରେ ସଂଶ୍ଳିଷ୍ଟ ଥିବା ଅଭିଯୁକ୍ତଙ୍କୁ ପୋଲିସ ବିଳମ୍ବିତ ରାତିରେ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ସେହି ଗ୍ରାମର ସାଗୁ ସିଂ(୪୫) । ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇବା ସହିତ ଏକ ମାମଲା (ନଂ.୪୯/୧୯)ରୁଜୁ କରି ତଦନ୍ତ ଜାରି ରଖିଛି । ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗାକୁ ପୋଲିସ ଜବତ କରିଛି ।
ପୋଲିସ ସୂଚନା ଅନୁଯାୟୀ, ମୃତ ସାହୁ ବିନ୍ଧାଣୀଙ୍କ ଘର ନିକଟରେ ଏକ ଉନ୍ନୟନ କାମ ଚାଲୁ ରହିଛି । କାମ ଚାଲିିଥିବା ବେଳେ ତାଙ୍କ ଘର ବାଡିରେ ଥିବା ଏକ ଗଛର ଡାଳକୁ ଅଭିଯୁକ୍ତ ସାଗୁ ସିଂ କାଟି ଦେଇଥିଲେ। ମୃତ ସାହୁ ବିନ୍ଧାଣୀ ଏହାକୁ ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସନ୍ଧ୍ୟା ସମୟରେ ଘରେ କେହି ନ ଥିବା ବେଳେ ସାହୁ ଘର ବାହାରେ ଏକ ଖଟିଆରେ ଶୋଇଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ଏକ ଠେଙ୍ଗାରେ ବାଡେଇ ବାଡେଇ ତାଙ୍କୁ ମାରି ଦେଇଥିଲେ। ପରିବାର ଲୋକେ ଘରକୁ ଫେରି ଏହା ଦେଖିବା ପରେ ଶରତ ଥାନାକୁ ଖବର ଦେଇଥିଲେ ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।