Categories: ଗଞ୍ଜାମ

ଗଛ ଚଢ଼ିବା ସମୟରେ ଗୋଡ଼କୁ ଟାଣି ଧରିଲା ଭାଲୁ

ଫୁଲବାଣୀ ଅଫିସ,୧୬ା୬: କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଜାମଝରୀ ପଞ୍ଚାୟତ କ୍ଷେତାପାଜୁ ଗ୍ରାମ ପାଖ ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ସେ ହେଲେ କ୍ଷେତାପାଜୁର ଦ୍ୱିଜବର ମଲ୍ଲିକ। ମିଳିଥିବା ସୂଚନା ଅନୁସାରେ, ଦ୍ୱିଜବର ଶ୍ୟାମଘନ ମଲ୍ଲିକ ଏବଂ ରବୀନ୍ଦ୍ର ମଲ୍ଲିକ କାଠ ଆଣିବା ପାଇଁ ଜଙ୍ଗଲକୁ ଯାଇଥିଲେ। ସାଥୀରେ ଗୋଟିଏ କୁକୁର ନେଇଥିଲେ। ଜଙ୍ଗଲରେ କାଠ କାଟୁଥିବା ସମୟରେ ଏକ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ। ଭାଲୁକୁ ଦେଖି ଶ୍ୟାମଘନ ଏବଂ ରବୀନ୍ଦ୍ର ଗଛ ଉପରକୁ ଚଢ଼ି ଯାଇଥିବାବେଳେ ଦ୍ୱିଜବର ଅଧା ଚଢ଼ିବା ଅବସ୍ଥାରେ ଭାଲୁ ତାଙ୍କ ଗୋଡ଼କୁ କାମୁଡି ଧରିଥିଲା ା କୁକୁର ଭୁକିବାରୁ ଭାଲୁ ଦ୍ୱିଜବରଙ୍କୁ ଛାଡ଼ି ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲା। ଆକ୍ରମଣରେ ଦ୍ୱିଜବରଙ୍କ ଡାହାଣ ଗୋଡ଼ ହାଡ଼ ଭାଙ୍ଗି ଯାଇଥିବାବେଳେ ଛାତିରେ ଗଭୀର ଆଘାତ ଲାଗିଛି।