ଗଛକୁ ପିଟିଲା କାର୍‌, ପରିବାରର ୩ଜଣଙ୍କ ସହ ଚାଳକ ମୃତ

ନୟାଗଡ଼ ଅଫିସ,୧୧।୧: ନୟାଗଡ଼ ଜିଲା ଶରଣକୁଳ ଥାନା କରଡ଼ାଛକଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କାର୍‌ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ରହିଥିବାବେଳେ ଅନ୍ୟ ଜଣେ ହେଲେ ଚାଳକ। ମୃତକମାନେ ହେଲେ ଡଗାଁ ଥାନା ନନ୍ଦିଘୋର ଗ୍ରାମ ନେଳିଆସାହିର ଚିରଞ୍ଜୀବୀ ସାହୁ (୪୪), ତାଙ୍କ ସ୍ତ୍ରୀ ମଧୁସ୍ମିତା (୩୫), ପୁଅ ଆଦିତ୍ୟ କୁମାର (୧୧) ଓ ଉକ୍ତ ଗ୍ରାମର କାର୍‌ ଚାଳକ ସନ୍ତୋଷ କୁମାର ନାୟକ।
ମିଳିଥିବା ସୂଚନା ଅନୁସାରେ, ଚିରଞ୍ଜୀବୀ ଶୁକ୍ରବାର ନିଜ କାର୍‌ (ଓଡି-୦୨-ଏଏନ୍‌-୭୨୩୭)ରେ ନୟାଗଡ଼ରେ ପଢ଼ୁଥିବା ତାଙ୍କ ଝିଅର ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ପରିବାର ସହିତ ଭୁବନେଶ୍ୱର ଯାଇଥିଲେ। ଭୁବନେଶ୍ୱରର ଏକ ମେଡିକାଲରେ ଝିଅର ସ୍ବାସ୍ଥ୍ୟ ପରୀକ୍ଷା କରି ଘରକୁ ଫେରିବା ସମୟରେ ଝିଅକୁ କୋଚିଂ ସେଣ୍ଟରରେ ଛାଡ଼ି ପରିବାର ସହ ଘରକୁ ଫେରୁଥିଲେ । ତେବେ ଘର ଆଉ କିଛି କିଲୋମିଟର ଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। କରଡ଼ା ଛକଠାରେ ଚାଳକ ସନ୍ତୋଷ ଭାରସାମ୍ୟ ହରାଇ ଗାଡ଼ିଟିକୁ ରାସ୍ତାର ଡାହାଣ ପଟେ ଥିବା ଏକ ଗଛରେ ପିଟି ଦେଇଥିଲେ। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ମଧୁସ୍ମିତାକୁ ଉଦ୍ଧାର କରି ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱର ସ୍ଥାନାନ୍ତର ବେଳେ ମଧୁସ୍ମିତାଙ୍କ ମୃତ୍ୟୁ ଘଟିଥିଲା। ୪ ମୃତଦେହ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇଛି। ଶରଣକୁଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଉଛି।