ଗଙ୍ଗୁଆ ପାଇଁ ହେବ ଆନ୍ଦୋଳନ

ଭୁବନେଶ୍ୱର, ୧୪ା୧୧(ବ୍ୟୁରୋ): ଦିନେ ଭୁବନେଶ୍ୱର ଓ ଉପକଣ୍ଠ ଅଞ୍ଚଳବାସୀଙ୍କ ଜୀବନରେଖା ଥିବା ଐତିହ୍ୟ ନଦୀ ଗନ୍ଧବତୀ ଏବେ ଗଙ୍ଗୁଆ ନାଳରେ ପରିବର୍ତ୍ତନ ହୋଇଛି। ସହରର ଆବର୍ଜନା ଓ ମଳ ଗଙ୍ଗୁଆକୁ ଛଡ଼ାଯାଉଥିବାରୁ ଏହା ପୂରା ଦୁର୍ଗନ୍ଧମୟ ହୋଇପଡିଛି। ଜବରଦଖଲ ଯୋଗୁ କେଉଁଠି ସଙ୍କୁଚିତ ହୋଇପଡିଛି ତ ଆଉ କେଉଁଠି ସତ୍ତା ହରାଇଛି। ଗଙ୍ଗୁଆର ପୁନରୁଦ୍ଧାର ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ମଧ୍ୟ ସେପରି କିଛି ଠୋସ୍‌ ପଦକ୍ଷେପ ନିଆଯାଉନି। ତେଣୁ ଆଗାମୀ ଦିନରେ ସ୍ମାର୍ଟସିଟି ଭୁବନେଶ୍ୱର ପାଇଁ ଗଙ୍ଗୁଆ ନାଳ ସବୁଠୁ ବଡ଼ ସମସ୍ୟା ପାଲଟିବ ବୋଲି ଗଙ୍ଗୁଆ ବଞ୍ଚାଅ ଆନ୍ଦୋଳନ ସଙ୍ଗଠନ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ସଙ୍ଗଠନ ପକ୍ଷରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀଙ୍କ ଉଦ୍ଦେଶ୍ୟରେ ବୁଧବାର ସଚିବ ରବୀନ୍ଦ୍ର ମିଶ୍ରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଗଙ୍ଗୁଆ ସ୍ଥିତିକୁ ସୁଧାରିବା ପାଇଁ ଉଚିତ ପଦକ୍ଷେପ ନିଆ ନ ଗଲେ ସଙ୍ଗଠନ ପକ୍ଷରୁ ବଡ଼ଧରଣର ଆନ୍ଦୋଳନାତ୍ମକ ପନ୍ଥା ଆପଣାଯିବ ବୋଲି ଚେତାବନୀ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଡ୍ରେନ୍‌ଗୁଡିକ ଗଙ୍ଗୁଆ ସହିତ ଯୋଡ଼ାଯାଇଛି। ସହରର ବଡ଼ ବଡ଼ ଆପାର୍ଟମେଣ୍ଟ ଓ କଲୋନୀର ବାହାରୁ ବାହାରୁଥିବା ଆବର୍ଜନା ପାଣି ଡ୍ରେନ୍‌ ଦେଇ ସିଧାସଲଖ ଗଙ୍ଗୁଆରେ ମିଶୁଛି। ସେହିପରି ଡ୍ରେନ୍‌ ଓ ଗଙ୍ଗୁଆ ପାର୍ଶ୍ୱରେ ଗଢ଼ି ଉଠୁଥିବା ଘରର ମଇଳା ପାଣି ସିଧାସଳଖ ଛଡ଼ାଯାଉଛି।
ଏହାଦ୍ୱାରା ଗଙ୍ଗୁଆ ପ୍ରଦୂଷିତ ହେବା ସହ ଏହାର ଆର୍ବଜନା ଜଳ ଦୟା ନଦୀ ଦେଇ ୩୪କିମି ଦୂରରେ ଥିବା ପର୍ଯ୍ୟଟନ କ୍ଷେତ୍ର ଚିଲିକାରେ ମିଶୁଛି। ଏଥିଯୋଗୁ ଦୟା ନଦୀ ପଙ୍କିଳ ହୋଇପଡିବା ସହ ଚିଲିକାର ଜୈବ ବିବିଧତା ନଷ୍ଟ ହେଉଛି। ତେଣୁ ଏହାକୁ ଗୁରୁତର ଭାବେ ଗ୍ରହଣ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସଙ୍ଗଠନ ଦାବି କରିଛି। ସ୍ମାରକପତ୍ର ପ୍ରଦାନ ସମୟରେ ମହାନଦୀ ବଞ୍ଚାଅ ସଙ୍ଗଠନ ଆବାହକ ସୁଦର୍ଶନ ଦାସ, ଆବାହକ ବାସୁଦେବ ଭଟ୍ଟ, ପ୍ରସନ୍ନ ବିଶୋୟୀ, ନିଲୁ ଖୁଣ୍ଟିଆ, ବିଜୟ ପ୍ରଧାନ, ରମୋ ଭାରତୀ, ପ୍ରସନ୍ନ ଶ୍ରୀଚନ୍ଦନ ରାୟ, ରାଜୀବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ॥