ନୂଆଦିଲ୍ଲୀ,୨୪।୧୨: ଆଉ କେଇଘଣ୍ଟା ପରେ ପାଳନ ହେବ ପ୍ରଭୁ ଯିଶୁଙ୍କ ଜନ୍ମଦିବସ କ୍ରିସ୍ମାସ। ଏବେଠାରୁ ଆରମ୍ଭ ହେଲାଣି କାଉଣ୍ଟ ଡାଉନ୍। ମଙ୍ଗଳବାର ଠିକ୍ ରାତି ୧୨ଟାରେ ଏହି ପର୍ବକୁ ପାଳନ କରିବାକୁ ସମସ୍ତେ ଏକ ପ୍ରକାର ପ୍ରସ୍ତୁତି ଶେଷ କରି ସାରିଲେଣି। ଗାଁଠାରୁ ସହର ସବୁଠି ଉତ୍ସବର ମାହୋଲ। ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ଲୋକେ ସେମାନଙ୍କ ଘରକୁ ବିଭିନ୍ନ ଆଲୋକମାଳାରେ ସଜାଇ ସାରିଲେଣି। ଝଲସି ଉଠୁଛି ଚର୍ଚ୍ଚ। ରଙ୍ଗବେରଙ୍ଗର ଆଲୋକରେ ସଜେଇ ହେଲାଣି ଚର୍ଚ୍ଚ। ସାନ୍ତା କ୍ଲଜ, ଖ୍ରୀଷ୍ଟମାସ୍ ଟ୍ରୀ, ଗିପ୍ଟ ପ୍ୟାକେଟ, ଚକୋଲେଟ୍, କେକ୍ ଆଦି ପ୍ରସ୍ତୁତ। ଅପେକ୍ଷା ରାତି ୧୨ଟାକୁ। ପ୍ରଭୁ ଯିଶୁ ଧରାବତରଣ କରିବେ। ସମସ୍ତଙ୍କ ଜୀବନରେ ସୁଖଶାନ୍ତି ଭରିଦେବେ। କ୍ରିସମାସ ଅବସରରେ ବ୍ରିଟେନର ମହାରାଣୀ ଏଲିଜାବେଥ ୨ ମଧ୍ୟ ବିଶ୍ୱବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆସନ୍ତା ବର୍ଷ ସମସ୍ତଙ୍କ ପାଇଁ ଖୁସି ଆଣିଦେବା ସହ ସମସ୍ତ ବାଧାବନ୍ଧନ ଦୂରେଇ ଯାଉ ବୋଲି କାମନା କରିଛନ୍ତି।


