ଖୋଲିଲା ରାଜଭବନ ଉଦ୍ୟାନ: ପ୍ରଥମ ଦିନରେ ବୁଲିଲେ ୪ହଜାର ଦର୍ଶକ

ଭୁବନେଶ୍ୱର,୬ା୧(ବ୍ୟୁରୋ): ସର୍ବସାଧାରଣ ଓ ଛାତ୍ରୀଛାତ୍ରଙ୍କ ପାଇଁ ରବିବାର ରାଜଭବନ ଉଦ୍ୟାନ ଖୋଲାଯାଇଛି। ଗୋଲାପ ଉଦ୍ୟାନଠାରୁ ଆରମ୍ଭ କରି ବିଭିନ୍ନ କିସମର ଗେଣ୍ଡୁ, ସେବତୀ, ଗ୍ଲାଡିଓଲି, ଡାଲିଆ, ଜିନିଆ, କାନୁନ୍‌ଡୋଲା, ସାଲ୍‌ଭିଆ ଭଳି ୩୯ କିସମର ଫୁଲର ସମ୍ଭାର ଦେଖିବାକୁ ମିଳିଥିଲା। ଏହାସହ ସବୁଜ ଲନ୍‌, ହରିଣ ଉଦ୍ୟାନ, ସଙ୍ଗୀତମୟ ଝରଣା, ଖୋଲା ଆକ୍ୱାରିୟମ୍‌ ଏବଂ ପକ୍ଷୀ ଏନ୍‌କ୍ଲୋଜର ସର୍ବସାଧାରଣଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ପ୍ରଥମ ଦିନରେ ୪ହଜାରରୁ ଊର୍ଦ୍ଧ୍ୱ ଲୋକେ ଉଦ୍ୟାନ ବୁଲିବାକୁ ଆସିଥିଲେ।
ସୂଚନାଯୋଗ୍ୟ, ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରବିବାର ଓ ଛୁଟିଦିନ ମଧ୍ୟ ଏହି ଉଦ୍ୟାନ ଖୋଲା ରହିବ। ପ୍ରତ୍ୟହ ଅପରାହ୍ନ ୨ଟା ୩୦ଟାରୁ ୫ଟା ମଧ୍ୟରେ ସର୍ବସାଧାରଣ ରାଜଭବନ ଉଦ୍ୟାନ ପରିଦର୍ଶନ କରିପାରିବେ। ସେହିପରି ପ୍ରଥମ ଥର ପାଇଁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁରୋଧ ଆଧାରରେ ଛାତ୍ରୀଛାତ୍ରମାନେ ୬ରୁ ୨୧ ତାରିଖ ପର୍ଯ୍ୟନ୍ତ ରବିବାର ବ୍ୟତୀତ ପ୍ରତ୍ୟହ ସକାଳ ୮ଟା ୩୦ ରୁ ୧୦ଟା ମଧ୍ୟରେ ଉଦ୍ୟାନ ବୁଲି ଦେଖିପାରିବେ। ଏଥି ନିମନ୍ତେ ବିଦ୍ୟାଳୟ କର୍ତ୍ତୃପକ୍ଷ ରାଜ୍ୟପାଳଙ୍କ ଏଡିସି କିମ୍ବା ରାଜଭବନ ନିରାପତ୍ତା ଦାୟିତ୍ୱରେ ଥିବା ଏସିପିଙ୍କୁ ଅନୁରୋଧପତ୍ର ପ୍ରେରଣ କରିବାକୁ କୁହାଯାଇଛି। ପରିଦର୍ଶନ ପାଇଁ ରାଜଭବନ ଅଭ୍ୟର୍ଥନା ପ୍ରକୋଷ୍ଠ ନିକଟରେ ରେଜିଷ୍ଟର ମାଧ୍ୟମରେ ହାତ ପ୍ରସ୍ତୁତ ପ୍ରବେଶପତ୍ର ଉପଲବ୍ଧ ଥିବାବେଳେ ମୋବାଇଲ ଆପ୍‌ ଦ୍ୱାରା ରାଜଭବନର ଓ୍ବେବ୍‌ସାଇଟ୍‌ରୁ ପ୍ରବେଶପତ୍ର ପାଇପାରିବେ।

ପିଲାଙ୍କୁ ଚକୋଲେଟ୍‌ ବାଣ୍ଟିଲେ ରାଜ୍ୟପାଳ

ପ୍ରତିବର୍ଷ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯାଇଥାଏ। ହଜାର ହଜାର ଲୋକ ବୁଲିବାକୁ ଆସନ୍ତି। ଉଦ୍ୟାନରେ ବିଭିନ୍ନ ପ୍ରଜାତିର ଫୁଲ ସାଙ୍ଗକୁ ସଙ୍ଗୀତମୟ ଝରଣା ଓ ଡିୟର ପାର୍କ ଲୋକଙ୍କୁ ଆକୃଷ୍ଟ କରିଥାଏ। ତେବେ ଚଳିତବର୍ଷ ରାଜଭବନର ଉଦ୍ୟାନକୁ ବୁଲିବା ପାଇଁ ଆସିଥିବା ଲୋକଙ୍କ ମନ ଜିଣିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌। ପ୍ରଥମ ଥର ପାଇଁ ରାଜଭବନ ଉଦ୍ୟାନ ଖୋଲାଯିବା ପରେ ରାଜ୍ୟପାଳ ଓ ତାଙ୍କ ଧର୍ମପତ୍ନୀ ସର୍ବସାଧାରଣଙ୍କ ପାଖକୁ ଆସିଥିଲେ। ଏପରି ପୂର୍ବରୁ କୌଣସି ରାଜ୍ୟପାଳ କରି ନ ଥିବା କୁହାଯାଉଛି। ରାଜ୍ୟପାଳ ବାହାରକୁ ଆସି ଛୋଟ ଛୋଟ ପିଲାଙ୍କୁ ଚକୋଲେଟ୍‌, ପେନ୍‌, ପେନ୍‌ସିଲ୍‌ ଦେବା ସହ ସେମାନଙ୍କୁ କୋଳେଇ ଧରିଥିଲେ।