Categories: ଜାତୀୟ

ଖୋଲିଲା ବିଭିନ୍ନ ରାଜ୍ୟର ଧାର୍ମିକ ଅନୁଷ୍ଠାନ

ନୂଆଦିଲ୍ଲୀ,୮।୬: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, ଗୁରୁଦ୍ୱାର ଆଦି ସମସ୍ତ ଧାର୍ମିକ ଅନୁଷ୍ଠାନକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା। ଦୀର୍ଘ ପାଖାପାଖି ୨ ମାସ ବନ୍ଦ ରହିବା ପରେ ଏବେ ଜୁନ୍‌ ଆରମ୍ଭରୁ ଅନ୍‌ଲକ ୧.୦ ଆରମ୍ଭ ହୋଇଛି। ଏଥିରେ ପ୍ରାୟତଃ ନିୟମ କୋହଳ କରାଯାଇଥିବା ବେଳେ ସୋମବାରଠାରୁ କିଛି ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ଗୁଡିକୁ ଭକ୍ତଙ୍କ ଉଦ୍ଦେଶ୍ୟରେ ଖୋଲି ଦିଆଯାଇଛି। ତେବେ ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, ଗୁରୁଦ୍ୱାର ଭଳି ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ନେଇ ସରକାରଙ୍କ ପକ୍ଷରୁ ଯେଉଁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି ସେହି ଅନୁସାରେ ଭକ୍ତମାନେ ଭଗବାନଙ୍କ ଦର୍ଶନ କରୁଛନ୍ତି। ବିଶେଷଭାବେ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦେବା ଓ ମନ୍ଦିର ଅବା ମସଜିଦ ଭିତରକୁ ପସିବା ବେଳେ ସାନିଟାଇଜରର ବ୍ୟବସ୍ଥା କରାଯାଇଛି। ସୋମବାର ସକାଳୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। କିନ୍ତୁ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସ୍ଥିତି ଜଟିଳ ଥିବାରୁ ସେଠାରେ ଧାର୍ମିକ ଅନୁଷ୍ଠାନ ଅବା ମଲ୍‌ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇ ନାହାନ୍ତି। ମହାରାଷ୍ଟ୍ର ଭଳି ମଧ୍ୟ ଆଉ କିଛି ରାଜ୍ୟରେ ସରକାର ଧାର୍ମିକ ଅନୁଷ୍ଠାନ, ମଲ୍‌ ଆଦି ଖୋଲିବାକୁ ଅନୁମତି ପ୍ରଦାନ କରି ନାହାନ୍ତି।

Share