ଖୋର୍ଦ୍ଧା, ବାଣପୁରରେ କୁତ୍ରିମ ବନ୍ୟା: ଘରେ ପଶିଲା ବର୍ଷାଜଳ

ଖୋର୍ଦ୍ଧା ଅଫିସ,୨୪।୧୦: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବୁଧବାରରୁ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ଏଥିରେ ଖୋର୍ଦ୍ଧା ସହର ସମେତ ବାଣପୁର ସହର ଓ ବ୍ଲକ ଅଞ୍ଚଳ ବେହାଲ ହୋଇ ପଡିଛି। ଖୋର୍ଦ୍ଧାର ପୁରୁଣା ମେଡିକାଲ ରୋଡ୍‌, ସାମନ୍ତରାପୁର, ଗଡଖୋର୍ଦ୍ଧା ଛକରେ ରାସ୍ତା ଉପରେ ପାଣି ଯାଉଛି। କିଛି ଲୋକଙ୍କ ଘରେ ପାଣି ପଶିଛି। ଡ୍ରେନ ସଫେଇ ନ ହୋଇଥିବାରୁ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଣପୁର ସହରରୁ ବାଲୁଗାଁ ରାସ୍ତାର ୧୬ ନଂ ଜାତୀୟ ରାଜପଥ ଉପରେ ମେଘାମ୍ବରୀ ମନ୍ଦିର ନିକଟରେ ରାସ୍ତା ଉପରେ ୩ ଫୁଟର ପାଣି ପ୍ରବାହିତ ହେଉଛି। ସେହିଭଳି ବାଣପୁର ଗମ୍ଭାରିମୁଣ୍ଡା ରାସ୍ତାର ସାନହନ୍ତୁଆଡ ଗାଁ ନିକଟରେ ମୁଖ୍ୟ ରାସ୍ତାରେ ଅଢ଼େଇ ଫୁଟର ପାଣି ପ୍ରବାହିତ ହେଉଥିବା ସୂଚନା ମିଳିଛି।