ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ : କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତିର ବିକ୍ଷୋଭ

ବୌଦ୍ଧ,୨୮।୧୨(ସ୍ବ.ପ୍ର)
ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ବୌଦ୍ଧ ଜିଲାରେ ୧୦୭ କିଲୋମିଟର ରେଳପଥ ନିର୍ମାଣ ହେବାକୁ ଥିବାବେଳେ ଏହାର ଜମି ଅଧିଗ୍ରହଣ ପ୍ରକିୟା ଆଗେଇ ପାରୁନାହିଁ। ଖୋର୍ଦ୍ଧା ପଟୁ ମହିପୁର ଓ ବଲାଙ୍ଗୀର ପଟୁ ତରଭା ପର୍ଯ୍ୟନ୍ତ ରେଳପଥ ନିର୍ମାଣ ସରିଥିବାବେଳେ ବୌଦ୍ଧ ଜିଲାରେ ସର୍ବାଧକ ପ୍ରକଳ୍ପ କାର୍ଯ୍ୟ ପଛୁଆ ରହିଛି। ଶୁକ୍ରବାର କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତିର ଆବାହକ ପ୍ରଦୋଷ କୁମାର ମିଶ୍ର, ସଭାପତି ସଲିଳ କୁମାର ଭୋକ୍ତା ଓ ସମ୍ପାଦକ ଜନ୍ମେଜୟ ପ୍ରଧାନଙ୍କ ନେତୃତ୍ୱରେ ପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜାମାନେ ସହରର ରାମେଶ୍ୱର ମନ୍ଦିର ସମ୍ମୁଖରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ପ୍ରକଳ୍ପ ନିର୍ମାଣ ଦ୍ୱାରା ବୌଦ୍ଧରେ ୨୨୭୦ ଏକର ବେସରକାରୀ ଜମି ଅଧିଗ୍ରହଣ ପାଇଁ ଆବଶ୍ୟକ ପ୍ରସ୍ତୁତି ଚାଲିଥିବାବେଳେ କ୍ଷତିଗ୍ରସ୍ତ ପ୍ରଜାମାନେ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହି ପ୍ରକଳ୍ପ ନିର୍ମାଣ ଦ୍ୱାରା ୧୦୦୦ରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବାସହରା ହେବାକୁ ଯାଉଥିବାବେଳେ ସେମାନଙ୍କ ଥଇଥାନ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ନାହିଁ । କେନ୍ଦ୍ର ସରକାରଙ୍କ ଜମି ଅଧିଗ୍ରହଣ ଆଇନ ୨୦୧୩ ଓ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ ଆଇନ ୨୦୧୬ ପ୍ରକାରେ କ୍ଷତିଗ୍ରସ୍ତ ପ୍ରଜାଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସ୍ଥିର କରାଯାଇଥିଲା । କିନ୍ତୁ ଜମିର ସରକାରୀ ମୂଲ୍ୟ (ବେଞ୍ଚମାର୍କ ଭେଲ୍ୟୁ) ବହୁତ କମ୍‌ ଥିବାରୁ ପ୍ରଜାମାନଙ୍କ ଜମିକୁ ଶାଗମାଛ ଦରରେ କ୍ଷତିପୂରଣ ପ୍ରଦାନ କରାଯାଉଥିବା କ୍ଷତିଗ୍ରସ୍ତ ପ୍ରଜାମାନେ ଅଭିଯୋଗ କରିଛନ୍ତି। ତେଣୁ ଜମିର ବଜାର ମୂଲ୍ୟକୁ ଆକଳନ କରି ଜମି ମାଲିକମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରାଯାଇଛି। ଏ ନେଇ ଏକ ଦାବିପତ୍ରକୁ ଉପଜିଲାପାଳ ଏନସି ଜ୍ୟୋତି ରଞ୍ଜନ ନାଏକଙ୍କୁ ପ୍ରଦାନ କରାଯାଇଥିଲା।