ଖୋର୍ଦ୍ଧା ଗାମୁଛାରେ ପ୍ରସ୍ତୁତ ମାସ୍କର ଚାହିଦା ବଢୁଛି

ଖୋର୍ଦ୍ଧା ଅଫିସ,୨୫ା୪: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ବାହାରକୁ ବାହାରିଲେ ମାସ୍କ ପରିଧାନ ଲାଗି ସରକାର କଟକଣା ମଧ୍ୟ କରିଛନ୍ତି। ଏହି ସମୟରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ମାସ୍କ ପ୍ରସ୍ତୁତ କରାଯାଉଛି। ଏହି ପ୍ରେରିପେକ୍ଷୀରେ ଖୋର୍ଦ୍ଧା ପୌର ପ୍ରଶାସନ ଆନୁକୂଲ୍ୟରେ ୫ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଖୋର୍ଦ୍ଧାର ପ୍ରସିଦ୍ଧ ଗାମୁଛା ଓ କପଡ଼ାରେ ମାସ୍କ ପ୍ରସ୍ତୁତ କରୁଛନ୍ତି। ସମ୍ବଲପୁରୀ କପଡ଼ାରେ ମାସ୍କକୁ ଜନସାଧାରଣ ପସନ୍ଦ କରିଥିବା ବେଳେ ଏବେ ଖୋର୍ଦ୍ଧା ଗାମୁଛାର ପ୍ରସ୍ତୁତ ମାସ୍କର ଚାହିଦା ବୃଦ୍ଧି ପାଇଛି। ଏସ୍‌ଏଚ୍‌ଜି ଦ୍ୱାରା ପ୍ରସ୍ତୁତ ଏହି ମାସ୍କକୁ ସାଧାରଣରେ ଭୂୟସୀ ପ୍ରଂଶସା କରାଯାଇଛି। ଏନେଇ ଖୋର୍ଦ୍ଧା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ କୁହନ୍ତି, ୧୦ ହଜାର ମାସ୍କ ପ୍ରସ୍ତୁତ ଲାଗି ଯୋଜନା ରହିଛି। ପ୍ରାଥମିକ ପର୍ଯ୍ୟାୟରେ ୫ଟି ଏସ୍‌ଏଚ୍‌ଜି ଗ୍ରୁପ୍‌ ଖୋର୍ଦ୍ଧା ଗାମୁଛାରୁ ୧ ହଜାର ମାସ୍କ ପ୍ରସ୍ତୁତ କରି ପୌର କାର୍ଯ୍ୟାଳୟକୁ ପ୍ରଦାନ କରିଛନ୍ତି। କିଛି ଏସ୍‌ଏଚ୍‌ଜି ଏହାର ବ୍ରିକି ବଟା ଆରମ୍ଭ କରିଛନ୍ତି। ଲୋକଙ୍କ ଚାହିଦାକୁ ଦେଖି ଏହାକୁ ବହୁଳ ପରିମାଣରେ ପ୍ରସ୍ତୁତ ଲାଗି ଗ୍ରୁପ୍‌ ମହିଳାଙ୍କୁ କୁହାଯାଇଛି।