ଖୋର୍ଦ୍ଧାରେ ଏନ୍‌କାଉଣ୍ଟର : ୨ ଅପରାଧୀ ଗୁରୁତର

ଖୋର୍ଦ୍ଧା ଅଫିସ/ବେଗୁନିଆ,୧୮ା୫ (ଡି.ଏନ.ଏ.): ଖୋର୍ଦ୍ଧା ଜିଲା ପୋଲିସ ପକ୍ଷରୁ ବେଗୁନିଆ ଥାନା ଅନ୍ତର୍ଗତ ତାଳଚୁଆ ପାହାଡ଼ ନିକଟରେ ଶନିବାର ପୋଲିସ ଏବଂ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।  ଏଥିରେ ୨ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ଜଣେ ହେଲେ ବେଗୁନିଆ ଥାନା ଅନ୍ତର୍ଗତ ଗୋଡ଼ା ଗାଁର ପିଣ୍ଟୁ ମାଝି (୨୨) ଏବଂ ଆଉ ଜଣେ ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ଉମେଶ ସାହୁ(୨୩)। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଉଭୟଙ୍କର ଡାହାଣଗୋଡ଼ ଆଣ୍ଠୁରେ ଗୁଳି ବାଜିଛି। ପ୍ରକାଶଥାଉ କି, ଏହି ଦୁଇ ଅପରାଧୀ ଗତ ରବିବାର ବେଗୁନିଆ ଥାନା ଗୋବିନ୍ଦପୁର ଛକ ନିକଟରେ ବୋମା ଏବଂ ଗୁଳିମାଡ଼ କରି ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ପାଇଁ ଆସିଥିବା ଗାଡ଼ିରୁ ୯୪ ହଜାର ଟଙ୍କା ଲୁଟି ନେଇଥିଲେ। ଅଭିଯୁକ୍ତ ଦ୍ୱୟ ଅନେକ ଅପରାଧିକ ଘଟଣାରେ ସଂପୃକ୍ତ ଥିବା ପୋଲିସ ସୂତ୍ରରୁ ପ୍ରକାଶ। ଖୋର୍ଦ୍ଧା ଏସ୍‌ଡିପିଓ ସୁଶୀଲ ମିଶ୍ରଙ୍କ ନେତୃତ୍ୱରେ ବେଗୁନିଆ ଆଇଆଇସି ରଶ୍ମୀରଞ୍ଜନ ସାହୁ, ଖୋର୍ଦ୍ଧା ଆଦର୍ଶ ଥାନା ଆଇଆଇସି ଉମାଶଙ୍କର ସିଂ ଏହି ଏନ୍‌କାଉଣ୍ଟର କରିଛନ୍ତି।