ଖେଳ ପିଲାଙ୍କୁ ବିକଶିତ କରିଥାଏ

ଭୁବନେଶ୍ୱର, ୨୪ା୧୨(ବ୍ୟୁରୋ): ସାଇ ଇଣ୍ଟରନ୍ୟାଶନାଲ୍‌ ସ୍କୁଲର ୭ମ ବାର୍ଷିକ କ୍ରୀଡ଼ା ଉତ୍ସବ ‘ସାଇ ଅଲିମ୍ପିକ୍ସ’ ସୋମବାର ସ୍କୁଲ ପରିସରରେ ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଅଲିମ୍ପିଆନ୍‌ ଆଥଲେଟ୍‌ ଦୂତୀ ଚାନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡ଼ାକୁ ପେସା ଭାବେ ଗ୍ରହଣ କରିବାକୁ ଛାତ୍ରୀଛାତ୍ରଙ୍କୁ ପ୍ରବର୍ତ୍ତାଇଥିଲେ। ଅଭିଭାବମାନଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ, ଶିକ୍ଷା ସହ ଖେଳକୁ ମଧ୍ୟ ଧ୍ୟାନ ଦେବା ଉଚିତ୍‌, ଯଦ୍ଦ୍ବାରା ପିଲାମାନେ ଅଧିକ ବିକଶିତ ହୋଇପାରିବେ। ଓଡ଼ିଶା ଫୁଟବଲ୍‌ କ୍ଳବ୍‌ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଆଶିଷ ଶାହ, ଲିଡିଙ୍ଗ୍‌ ସ୍କୁଲ୍‌ ଅଫ୍‌ ଇଣ୍ଡିଆର କଣ୍ଟ୍ରି ହେଡ୍‌ ସବିନା ଏ. ସେହଗଲ୍‌ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ସାଇ ଇଣ୍ଟରନ୍ୟାଶନାଲ ପ୍ରତିଷ୍ଠାତା ତଥା ମେଣ୍ଟର୍‌ ଡ. ବିଜୟ କୁମାର ସାହୁ ଛାତ୍ରୀଛାତ୍ରଙ୍କୁ ସୁସ୍ଥ ଓ ଚରିତ୍ରବାନ ବ୍ୟକ୍ତିତ୍ୱ ଦେବା ଲାଗି ଅଭିଭାବକଙ୍କୁ ୫ଟିି ଆବଶ୍ୟକ ବିଷୟ ଉପରେ ଧ୍ୟାନ ଦେବାକୁ କହିଥିଲେ। ରାତିରେ ଶୀଘ୍ର ଶୋଇବା, ପ୍ରତିଦିନ ୩୦ ମିନିଟ୍‌ ବ୍ୟାୟମ୍‌ କରିବା, ପ୍ରତିଦିନର ଖାଦ୍ୟରେ କିଛି ଫଳ ଗ୍ରହଣ କରିବା, ପ୍ରତିମାସରେ ପିଲାଙ୍କ ଓଜନ ମାପ କରିବା ଓ ରାତି ୮ଟାରେ ସେମାନଙ୍କୁ ଇଲୋକ୍ଟ୍ରୋନିକ୍‌ ଗ୍ୟାଜେଟ୍‌ଠାରୁ ଦୂରେଇ ରଖିବା। ଶେଷରେ ଜାତୀୟସ୍ତର କ୍ରୀଡ଼ା ପ୍ରତିଯୋଗିତା ଏବଂ ଇଣ୍ଟରହାଉସ୍‌ ପ୍ରତିଯୋଗିତା ଗୁଡ଼ିକରେ ବିଜୟୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ସାଇ ଇଣ୍ଟରନ୍ୟାଶନାଲ୍‌ ଏଜୁକେଶନ୍‌ ଗ୍ରୁପ୍‌ର ଭାଇସ୍‌ ଚେୟାରପର୍ସନ ଡ. ଶିଳ୍ପୀ ସାହୁ ଏବଂ ସିନିୟର ପ୍ରିନି୍ସପାଲ୍‌ ନୀଳକଣ୍ଠ ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବିଷୟବସ୍ତୁ ନେଇ ସ୍କୁଲର ୩ ହଜାର ୫ ଶହ ଛାତ୍ରୀଛାତ୍ର ସାମୂହିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।