ଖେଳୁଥିବା ବେଳେ ବିସ୍ଫୋରଣ: ୩ ନାବାଳକ ଆହତ

ହିଞ୍ଜିଳିକାଟୁ,୪ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସୋମପୁର ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୯ରେ ବିସ୍ଫୋରଣ ଘଟି ୩ ନାବାଳକ ଆହତ ହୋଇଛନ୍ତି। ପାହାଡରୁ ପଥର ଫଟାଇବା ପାଇଁ ବ୍ୟବହୃତ ଡିଟୋନେଟରରେ ବ୍ୟାଟେରି ସଂଯୋଗବେଳେ ଏହି ବିସ୍ଫୋରଣ ଘଟିଛି। ଆହତମାନେ ହେଲେ ସୋମପୁରର ବାଦଲ ଗୌଡ(୧୦), ନାରାୟଣ ଗୌଡ(୧୨) ଓ ଶ୍ରୀଧର ଗୌଡ(୧୦)।
ପ୍ରକାଶ ଯେ, ସୋମପୁରଠାରେ ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେଶନ ଲିମିଟେଡ଼ (ଓପିଟିସିଏଲ୍‌) ପକ୍ଷରୁ ପାଓ୍ବାର ଗ୍ରୀଡ୍‌ ନିର୍ମାଣ ହେଉଛି। ସେଠାରେ ଥିବା ଏକ ଛୋଟ ପାହାଡକୁ ସମତୁଲ କରିବାକୁ ପଥର ଫଟାଯାଉଛି। ଉକ୍ତ ସ୍ଥାନଟି ବାଦଲଙ୍କ ବାଡିପଟୁ ପ୍ରାୟ ୫୦ମିଟର ଦୂର। ବାଦଲ ସାଙ୍ଗ ନାରାୟଣ ଓ ଶ୍ରୀଧରଙ୍କ ସହ ପୂର୍ବାହ୍ନ ପ୍ରାୟ ୯ଟାରେ ନିର୍ମାଣସ୍ଥଳକୁ ଯାଇଥିଲେ। ସେଠାରେ ପଡିଥିବା ଏକ ଡିଟୋନେଟର ଆଣି ୩ ସାଙ୍ଗ ଖେଳୁଥିଲେ। ଡିଟୋନେଟରରୁ ବାହାରିଥିବା ତାରରେ କୌତୂହଳବଶତଃ ସେମାନେ ଏକ ବ୍ୟାଟେରି ସଂଯୋଗ କରିବାବେଳେ ତାହା ବିସ୍ଫୋରଣ ହୋଇଥିଲା। ଏଥିରେ ବାଦଲଙ୍କ ୨ ଆଙ୍ଗୁଠି ଛିଡିଯାଇଥିଲା। ଶବ୍ଦ ଶୁଣି ପରିବାର ଲୋକେ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ୩ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି। ଖବର ପାଇ ପୋଲିସ ଗ୍ରାମରେ ପହଞ୍ଚତ୍ ତଦନ୍ତ ଚଳାଇଛି। ମାତ୍ର ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାଶ କହିଛନ୍ତି।
ସୂଚନାଯୋଗ୍ୟ ଯେ, ସୋମପୁର ନିକଟ ସିଙ୍ଗିପୁର, ଘୋଡେଇଶୁଣୀ ପାହାଡରେ ପଥର ଫଟାଇବା ପାଇଁ ବହୁଳ ପରିମାଣରେ ଡିଟୋନେଟର ବ୍ୟବହାର ହେଉଛି। ବିଭିନ୍ନ ସମୟରେ ଅଫୁଟା ଡିଟୋନେଟରଗୁଡିକ ସେଠାରେ ଏଣେତେଣେ ପଡି ରହୁଛି। ପାଓ୍ବାର ଗ୍ରୀଡ୍‌ ନିର୍ମାଣ ପାଇଁ ମଧ୍ୟ ବଡ ବଡ ପଥରକୁ କମ୍ପ୍ରେସର ବଦଳରେ ଡିଟୋନିଟେର ବ୍ୟବହାର କରି ଫଟା ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମାତ୍ର ଓପିଟିସିଏଲର ବ୍ରହ୍ମପୁର ଡିଜିଏମ୍‌ ଦିଲୀପ କୁମାର ମହାନ୍ତି ଏହାକୁ ଅସ୍ବୀକାର କରିଛନ୍ତି। ବ୍ରେକର ଦ୍ୱାରା ପଥର ଭଙ୍ଗାଯାଉଥିବା ସେ କହିଛନ୍ତି। ସେହିପରି ସୋମପୁର ନିକଟ ପାହାଡ ସଇରାତକୁ ୩ ବର୍ଷ ହେଲା ଲିଜ୍‌ ଦିଆଯାଇନାହିଁ ବୋଲି ହିଞ୍ଜିଳିକାଟୁ ତହସିଲଦାର ଗୋପୀନାଥ କୁଅଁର କହିଛନ୍ତି।