Categories: ରାଜ୍ୟ

ଖେଳୁଥିବା ବେଳେ କୂଅରେ ପଡ଼ି ୨ ଶିଶୁପୁତ୍ରଙ୍କ ଜୀବନ ଗଲା

ନୟାଗଡ଼ ଅଫିସ, ୨।୭: ନୟାଗଡ଼ ଜିଲା ଭାପୁର ବ୍ଲକ ଫତେଗଡ଼ ଥାନା ନିହଲପ୍ରସାଦ ଗାଁରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ଘଟିଛି। ଖେଳୁଥିବା ବେଳେ ଅସାବଧାନତାବଶତଃ କୂଅରେ ପଡ଼ି ଯିବାରୁ ୫ ବର୍ଷ ବୟସର ୨ ଜଣ ଶିଶୁ ପୁତ୍ରଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଉକ୍ତ ଗ୍ରାମର ତ୍ରିନାଥ ବେହେରାଙ୍କ ପୁଅ ସୋମନାଥ ଏବଂ ଟୁକୁନା ବେହେରାଙ୍କ ପୁଅ ରାଜେଶ।

ମିଳିଥିବା ସୂଚନା ଅନୁସାରେ, ଗାଁ ନିକଟ ସ୍କୁଲ ପାଖରେ ତ୍ରିନାଥ, ସୋମନାଥଙ୍କ ସହ ୪ ଶିଶୁ ଖେଳୁଥିଲେ। ଅସାବଧାନତାବଶତଃ ତ୍ରିନାଥ, ସୋମନାଥ କୂଅରେ ପଡିଯାଇଥିଲେ। ଏ ନେଇ ଅନ୍ୟ ୨ ସାଙ୍ଗ ଗାଁରେ ଜଣାଇବା ପରେ ଗ୍ରାମବାସୀ ଉଭୟ ଶିଶୁଙ୍କୁ କୂଅରୁ ଉଦ୍ଧାର କରି ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ତ୍ରିନାଥ ଏବଂ ସୋମନାଥ ସମ୍ପର୍କରେ ଦୁଇ ଭାଇ ବୋଲି ଜଣାପଡ଼ିଛି।