Categories: ଖେଳ

ଖେଲୋ ଇଣ୍ଡିଆ ଇ- ପାଠଶାଳା ଲଞ୍ଚ୍‌ କରିବ ସାଇ

ନୂଆଦିଲ୍ଲୀ, ୩୧।୫ (ପି.ଟି.): ତୃଣମୂଳସ୍ତରରେ କ୍ରୀଡ଼ାର ବିକାଶ ପାଇଁ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଏକ ଅଭିନବ ପ୍ରୟାସ ଆରମ୍ଭ କରିବାକୁ ଯାଉଛି। ଜୁନ୍‌ ୧ ତାରିଖରୁ ଜାତୀୟ ସ୍ପୋଟର୍‌ସ ଫେଡେରେଶନ (ଏସ୍‌ଏସ୍‌ଏଫ୍‌)ଗୁଡିକ ସହିତ ମିଳିତ ଭାବେ ସାଇ ଅନ୍‌ଲାଇନ୍‌ରେ ଖେଲୋ ଇଣ୍ଡିଆ ଇ- ପାଠଶାଳା ଆରମ୍ଭ କରିବ। ଏହା ମାଧ୍ୟମରେ ତୃଣମୂଳସ୍ତରର ଆଥଲେଟଙ୍କ ପାଇଁ କୋଚିଂ ଓ ଏଜୁକେଶନ ପ୍ରୋଗ୍ରାମ ପ୍ରଦାନ କରାଯିବ।
କେନ୍ଦ୍ର କୀଡ଼ାମନ୍ତ୍ରୀ କିରେନ ରିଜିଜୁ ଓ ଆଦିବାସୀ ଉନ୍ନୟନ ମନ୍ତ୍ରୀ ତଥା ଭାରତୀୟ ତୀରନ୍ଦାଜୀ ଆସୋସିଏଶନ ଅଧ୍ୟକ୍ଷ ଅର୍ଜୁନ ମୁଣ୍ଡା ୧ ତାରିଖ ସକାଳ ୯ଟାରେ ଏହି ପ୍ରୋଗ୍ରାମ ଉଦ୍‌ଘାଟନ କରିବେ। ଏହି ଅବସରରେ ତୀରନ୍ଦାଜ, ତୀରନ୍ଦାଜ କୋଚ୍‌ ଓ ବିଭିନ୍ନ କ୍ରୀଡ଼ାବର୍ଗର ବିଶେଷଜ୍ଞମାନେ ଉପସ୍ଥିତ ରହିବେ। ଏହି କ୍ରୀଡ଼ାରେ ଆଥଲେଟିକ୍ସ, ତୀତନ୍ଦାଜୀ, ବକ୍ସିଂ, ସାଇକ୍ଲିଂ, ଫେନ୍ସିଂ, ଫୁଟବଲ, ଜିମ୍ନାଷ୍ଟିକ୍ସ, ହକି, ଜୁଡୋ, କାୟାକିଂ ଓ କାନୋଇଂ, କବାଡ଼ି, ପାରା ଗେମ୍ସ, ରୋଇଂ, ଶୁଟିଂ, ଟାଏକୋଣ୍ଡୋ, ଟେବଲ ଟେନିସ, ଭଲିବଲ, ଓ୍ବେଟ୍‌ଲିଫ୍ଟିଂ, ରେସଲିଂ ଓ ଉଷୁ ସମେତ ୨୧ କ୍ରୀଡ଼ା ସାମିଲ ରହିବ।
ଏହି ଅନ୍‌ଲାଇନ୍‌ ପ୍ରୋଗ୍ରାମରେ ଜଣାଶୁଣା ଆଥଲେଟ ଯୋଗଦେବେ ଓ ଯୁବ ଆଥଲେଟମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବେ। କ୍ରୀଡ଼ାବିତମାନଙ୍କ ପ୍ରତିଭା ତଥା କ୍ଷମତାର ଉନ୍ନତି ହେଉଛି ଏହି ପ୍ରୋଗ୍ରାମର ମୂଳ ଲକ୍ଷ୍ୟ। ଜଣାଶୁଣା କୋଚ୍‌ଙ୍କୁ ନେଇ ଗଠିତ କମିଟି ଏହି ପ୍ରୋଗ୍ରାମରେ ଦିଗ୍‌ଦର୍ଶନ ଦେବେ। ସେହିପରି ସ୍ପୋଟର୍‌ସ ସାଇଣ୍ଟିଷ୍ଟ, ହାଇ- ପରଫରମାନ୍ସ ଡାଇରେକ୍ଟର ଓ ହାଇ- ପରଫର୍ମାନ୍ସ ମ୍ୟାନେଜରଙ୍କୁ ନେଇ ଗଠିତ କମିଟି ଏହାର ତଦାରଖ କରିବ। ଏହି କମିଟି ପ୍ରୋଗ୍ରାମ ସଂକ୍ରାନ୍ତରେ ଫିଡ୍‌ବ୍ୟାକ ଦେବ।

Share