ଖୁବ୍‌ଶୀଘ୍ର ଭୁବନେଶ୍ୱରରୁ ଦୁବାଇ, ବ୍ୟାଙ୍କକ୍‌କୁ ଉଡ଼ିବ ବିମାନ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): ଭୁବନେଶ୍ୱରରୁ ବିଦେଶକୁ ଉଡ଼ିବ ଅଧିକ ବିମାନ। କିଛି ଆନ୍ତର୍ଜାତିକ ବିମାନ ଚଳାଚଳ ସଂସ୍ଥା ଏଥିପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ତେବେ ଖୁବ୍‌ଶୀଘ୍ର ଦୁବାଇ ଓ ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଏନେଇ ଚିଠି ଲେଖିଥିଲେ। ଓଡ଼ିଶାର ଭିତ୍ତିଭୂମି ବିଷୟରେ ଉଲ୍ଲେଖ କରିବା ସହ କିଛି ବିମାନ ସଂସ୍ଥାର ସିଇଓଙ୍କୁ ନେଇ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଥିଲେ। ଏହାପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କେତେକ ଆନ୍ତର୍ଜାତିକ ବିମାନ ଚଳାଚଳ ସଂସ୍ଥାର ସିଇଓଙ୍କ ସହ ଆଲୋଚନା ହୋଇଥିଲା। ଅଧିକାଂଶ ସଂସ୍ଥା ଭୁବନେଶ୍ୱର ସହ ଯୋଡ଼ି ହେବା ପାଇଁ ଆଗ୍ରହୀ ଥିବା ଜଣାପଡ଼ିଛି। ବର୍ତ୍ତମାନ ଗୋଟିଏ ମାତ୍ର ଏୟାର ଏସିଆ ବିମାନ ଭୁବନେଶ୍ୱର-କ୍ୱାଆଲାଲମ୍ପୁର ମଧ୍ୟରେ ଚଳାଚଳ କରୁଛି। ପୂର୍ବରୁ ବ୍ୟାଙ୍କକ୍‌ ଏୟାରଓ୍ବେଜ୍‌ ବ୍ୟାଙ୍କକ୍‌ରୁ ଭୁବନେଶ୍ୱରକୁ ବିମାନ ଚଳାଚଳ କରିବାକୁ ଆଗ୍ରହ ଦେଖାଇଥିଲା। ତେବେ ରାଜ୍ୟ ସରକାର, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧିକାରୀ ଓ ବିମାନ ଚଳାଚଳ ସଂସ୍ଥାର ସିଇଓଙ୍କୁ ନେଇ ହେବାକୁ ଥିବା ବୈଠକରେ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି।
ସେହିଭଳି ଏକାଧିକ ସ୍ଥାନକୁ ଭୁବନେଶ୍ୱରରୁ ବିମାନ ଚଳାଚଳ କରିବ ବୋଲି କୁହାଯାଉଛି। ଅଧିକାଂଶ ସମୟରେ ଝାରସୁଗୁଡ଼ା ଓ ଭୁବନେଶ୍ୱରରେ ଆଲୋକ କମ୍‌ ରହୁଥିବାରୁ ବିମାନ ଅବତରଣ କରିବାରେ ସମସ୍ୟା ହେଉଛି। ତେଣୁ ଏହି ଦୁଇ ବିମାନ ବନ୍ଦରରେ କ୍ୟାଟ୍‌-ଆଇ ଆପ୍ରୋଚ ଆଲୋକ ବ୍ୟବସ୍ଥା କରାଯିବ। ସମ୍ପ୍ରସାରଣ, ଜମି ଅଧିଗ୍ରହଣ ସଂକ୍ରାନ୍ତରେ ରାଜ୍ୟ ସରକାର ଓ ବିମାନ ବନ୍ଦର ପ୍ରାଧିକରଣ ମଧ୍ୟରେ ଆଲୋଚନା ଚାଲିଛି। ଆନ୍ତର୍ଜାତିକ ବିମାନ ସେବା ବ୍ୟତୀତ ଘରୋଇ ସଂଯୋଗକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଜୟପୁର ଓ ରାଉରକେଲାକୁ ଘରୋଇ ବିମାନ ସେବା ଯୋଗାଇବାକୁ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡିଛି। ରାଉରକେଲା ଏୟାରଷ୍ଟ୍ରିପ୍‌ରେ ୧୮୪ ଏକର ଜମି ଆବଶ୍ୟକ ପଡ଼ୁଛି। ରାଜ୍ୟ ସରକାର ଅତିରିକ୍ତ ଜମି ଯୋଗାଇଦେଲେ ଖୁବ୍‌ଶୀଘ୍ର ବିମାନ ଚଳାଚଳ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି।