ଖାପ୍‌ ପଞ୍ଚାୟତର ଅଜବ ନିୟମ: ଏହି ୨୪ଗାଁର ଲୋକେ ନିଜ ନାଁରେ ଲଗାଇପାରିବେନି ସରନେମ୍‌

ଜିନ୍ଦ,୧।୭: ଜାତିପ୍ରଥା ବ୍ୟବସ୍ଥାକୁ ଦୂର କରିବା ଉଦ୍ଦେଶ୍ୟରେ ହରିୟଣା ଜିନ୍ଦ ଜିଲାର ଖେଡା ଖାପ୍‌ରେ ଏକ ବଡ ନିୟମ ତିଆରି କରାଯାଇଛି। କୌଣସି ବ୍ୟକ୍ତି ନିଜ ନାଁରେ ଜାତିକୁ ଦର୍ଶାଉଥିବା ଶଦ୍ଦକୁ ବ୍ୟବହାର କରିପାରିବେନି। ଭୂଷାଲା ଗାଁରେ ହୋଇଥିବା ଖାପ୍‌ ପଞ୍ଚାୟତ ଏନେଇ ନିଷ୍ପତ୍ତି ନେଇଛି। ଖେଡା ଖାପ୍‌ ଅର୍ନ୍ତଗତ ଉଛାନା କସ୍‌ବେରେ ୨୪ଟି ଗାଁ ଆସୁଛି। ଏଥିରେ ନାଗୁରା, ବରୋଦା, ଭଡାନା, କରସିନ୍ଧୁ, ବରସୋଲା ଓ ମୋହନ ଗଢ଼ ଛପରା ପ୍ରମୁଖ ଗାଁ ରହିଛି। କିଛି ବର୍ଷରୁ ଜାତିପ୍ରଥା ଲୋକଙ୍କ ମଧ୍ୟରେ ଘୃଣାଭାବ ସୃଷ୍ଟି କରିବା ସହ ସମାଜକୁ ବଣ୍ଟନ କରୁଛି ବୋଲି ଖେଡା ଖାପର ମୁଖ୍ୟ ଓ ବରସୋଲା ଗାଁର ବାସିନ୍ଦା ସତବୀର ପହଲଓ୍ବାନ କହିଛନ୍ତି। ଜାତି ଦର୍ଶାଉଥିବା ସରନେମ୍‌ର ବ୍ୟବହାର ଦ୍ୱାରା ଲୋକେ କାହାକୁ ନ ଜାଣି ଓ ତା’ର ଦକ୍ଷତା ଉପରେ ସନ୍ଦେହ କରି ପକ୍ଷପାତିତା କରିଥାନ୍ତି। ଏଥିଯୋଗୁ ୨୪ଟି ଗାଁର ଲୋକେ ନିଜ ନାଁରେ ସରନେମ୍‌ ଲଗାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ବ୍ୟକ୍ତି ଚାହାଁନ୍ତି ତେବେ ସେ ସରନେମ୍‌ ବଦଳରେ ଗାଁର ନାଁକୁ ଯୋଡିପାରିବେ। ଏଥିସହ ଗାଁରେ ଜାତିପ୍ରଥା ପୂରା ଦୂର ହୋଇଛି କି ନାହିଁ ଏନେଇ ଗଠନ ହୋଇଥିବା ଏକ କମିଟି ଯାଞ୍ଚ କରିବ। ତେବେ ଏହାଦ୍ୱାରା ସାମାଜିକ କୁପ୍ରଥାକୁ ରୋକାଯାଇପାରିବ ବୋଲି ଆଶା କରାଯାଉଛି।

 

Share