ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ଲୋକଙ୍କୁ ସାମିଲ ସୁଯୋଗ: ଯୋଡ଼ିହେଲା ଆଉ ୫ ମାନଦଣ୍ଡ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବାକୁ ରାଜ୍ୟ ସରକାର ନୂତନ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏଥିରୁ ବାଦ୍‌ ପଡୁଥିବା ଅଧିକ ଲୋକଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ଆଉ ୫ଟି ସ୍ବତଃ ଗ୍ରହଣ (ଅଟୋ ଇନକ୍ଲୁଜନ) ମାନଦଣ୍ଡ କାର୍ଯ୍ୟକାରୀ କରିଛନ୍ତି। ପୂର୍ବରୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବା ପାଇଁ ୬ଟି ଅଟୋ ଇନକ୍ଲୁଜନ ଏବଂ ଏଥିରୁ ବାଦ୍‌ ଦେବା ପାଇଁ ରାଜ୍ୟ ସରକାର ୯ଟି ଗାଇଡ୍‌ଲାଇନ୍‌ କାର୍ଯ୍ୟକାରୀ କରିଥିଲେ। ଏହି ଯୋଜନାରେ ସ୍ବତଃ ସାମିଲ ହେବାକୁ ହେଲେ ହିତାଧିକାରୀ ବାସହୀନ ପରିବାର ହୋଇଥିବା ବେଳେ ଭିକ୍ଷାବୃତ୍ତି କରି ଜୀବିକା ନିର୍ବାହ କରୁଥିବେ, ସମସ୍ତ ଆଦିମ ଆଦିବାସୀ, ଯେଉଁ ପରିବାରରେ କୌଣସି ସଦସ୍ୟ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ବିଧବା ଭତ୍ତା ପାଉଥିବେ ଓ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା କୌଣସି ବାଦ୍‌ ଦେବା ମାନଦଣ୍ଡ ଦ୍ୱାରା ଅଯୋଗ୍ୟ ହୋଇ ନ ଥିବେ। ସେହିପରି କୌଣସି ବ୍ୟକ୍ତି ଶତକଡା ୪୦ ଭାଗରୁ ଅଧିକ ଶାରୀରିକ ଅକ୍ଷମ ହୋଇଥିବେ ଏବଂ କିନ୍ନର ଶ୍ରେଣୀର ଆବେଦନକାରୀଙ୍କୁ ଆପଣାଛାଏଁ ରାଶନକାର୍ଡ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ତେବେ ରାଜ୍ୟ ସରକାର ଏଥିରେ ଆଉ ୫ଟି ମାନଦଣ୍ଡକୁ ସାମିଲ କରିଛନ୍ତି। ସେଗୁଡିକ ହେଲା କୌଣସି ବ୍ୟକ୍ତି ୬୦ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବେ ଏବଂ ତାଙ୍କର କୌଣସି ନିୟମିତ ଆୟ ନ ଥିବ, ପରିବାରରେ କେବଳ ବୃଦ୍ଧାବୃଦ୍ଧ ଥିବେ, ଶାରୀରିକ ଓ ମାନସିକ କ୍ଷେତ୍ରରେ ଦୁର୍ବଳ ଥିବେ, ଯେଉଁ ପରିବାରରେ କୋଣସି ବୟସ୍କ ସଦସ୍ୟ ନ ଥିବେ ଏବଂ ଯେଉଁବ୍ୟକ୍ତି ନିଜର ପରିବାର ପ୍ରତିପୋଷଣ ପାଇଁ ଦୈନିକ ମଜୁରି ଲାଗୁଥିବେ। ଏହାଛଡା କୁଷ୍ଠ, ଏଚ୍‌ଆଇଭି ଏବଂ ଅନ୍ୟ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ବ୍ୟକ୍ତିଙ୍କୁ ମଧ୍ୟ ଏହି ଯୋଜନାରେ ଆପେ ଆପେ ସାମିଲ କରାଯାଇ ପାରିବ।
ସେହିପରି ହିତାଧିକାରୀ ତାଲିକାରୁ ବାଦ୍‌ ପଡିବା ଗାଇଡ୍‌ଲାଇନ୍‌ରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ବିଜୁ ପକ୍କାଘର ଯୋଜନା, ନିର୍ମାଣ ଶ୍ରମିକ ଯୋଜନା ଏବଂ ବିସ୍ଥାପନ ଓ ଥଇଥାନ ନୀତିଦ୍ୱାରା ସାମିଲ ହୋଇଥିବା ପରିବାର, ଯାହାଙ୍କର ୩ଟି କୋଠରିବିଶିଷ୍ଟ କୋଠାଘର ଥିବ ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ଦିଆଯାଇଛି।