Categories: ଜାତୀୟ

ଖାଦ୍ୟମନ୍ତ୍ରୀଙ୍କୁ ମହମ ବୋଳା ସେଓ ବିକି ହରଡ଼ଘଣାରେ ଫଳ ଷ୍ଟଲ୍‌ ମାଲିକ

ନୂଆଦିଲ୍ଲୀ,୧୮।୯: ସମ୍ପ୍ରତି ଫଳରେ ବିଭିନ୍ନ ରଙ୍ଗ ଏବଂ ରାସାୟନିକ ପଦାର୍ଥ ପ୍ରଲେପ ଦିଆଯାଇ ବିକ୍ରି କରାଯାଉଛି। ଏହାକୁ ଖାଇବା ଦ୍ୱାରା ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ନିକଟରେ ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାସଓ୍ବାନ ମଧ୍ୟ ଏଥିରୁ ରକ୍ଷା ପାଇ ନାହାଁନ୍ତି। ସେ ଦିଲ୍ଲୀର ଖାନ୍‌ ମାର୍କେଟରୁ ପାସଓ୍ବାନ ଜଣେ କର୍ମଚାରୀଙ୍କ ଦ୍ୱାରା ସେଓ ମଗାଇଥିଲେ। ସେ ସାଲାଡ୍‌ ଲାଗି ସେଓ କାଟୁଥିବା ସମୟରେ ତାଙ୍କ ହାତରେ ମହମ ଲାଗିଥିଲା। ସେଓରେ ମହମ ବୋଳା ହୋଇଥିବା ଜାଣି ପାସଓ୍ବାନ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସରକାରୀ ଟିମ୍‌ ଫଳ ଷ୍ଟଲ୍‌ ମାଲିକଙ୍କ ପାଖରେ ପହଞ୍ଚି ତଦନ୍ତ କରିବା ସମୟରେ ଜଣା ପଡ଼ିଥିଲା ଯେ, ସେ ଓଜନରେ ୩ଶହ ଗ୍ରାମ୍‌ ସେଓ ମଧ୍ୟ ଠକିଛନ୍ତି। ଏନେଇ ତାଙ୍କୁ ପଚରାଉଚରା କରାଯିବା ସହିତ ନିକଟରେ ଥିବା ଅନ୍ୟ ଷ୍ଟଲ୍‌ର ଯାଞ୍ଚ୍‌ ଆରମ୍ଭ ହୋଇଛି। ଫଳରେ ଏବେ ଷ୍ଟଲ ମାଲିକ ହରଡ଼ଘଣାରେ ପଡ଼ିଛନ୍ତି। ତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଷ୍ଟଲ ମାଲିକ ସେଓ କିଲୋ ପିଛା ୪୨୦ ଟଙ୍କା ନେଇଥିଲେ।

Share