Categories: ଦେବଗଡ଼

ଖାଉଟୀ ଅଦାଲତରେ ଡାକ ବିଭାଗ ଦଣ୍ଡିତ

ଦେବଗଡ଼,୨୯।୧୨(ଡି.ଏନ.ଏ.) – ସେବା ଯୋଗାଇବାରେ ଅବହେଳା ଯୋଗୁ ଖାଉଟୀ ଅଦାଲତରେ ଡାକ ବିଭାଗ ଦଣ୍ଡିତ ହୋଇଛି । ମାମଲାର ବିବରଣୀ ଅନୁଯାୟୀ, ରିଆମାଳ ଗ୍ରାମର ଅଲେଖ ବିଶ୍ୱାଳ ନାମକ ଜଣେ ଗ୍ରାହକ ୨୦୦୬ ମସିହାରେ ପୋଷ୍ଟାଲ ଲାଇଫ ଇନ୍ସୁରାନ୍ସ ପଲିସି କ୍ରୟ କରିବା ସହ ପ୍ରଥମ ଦଶବର୍ଷ ପଯର୍‌ୟନ୍ତ ଏହାର ବାର୍ଷିକ ପ୍ରିମିୟମ ପଇଠ କରିଥିଲେ । ମାତ୍ର ବ୍ୟକ୍ତିଗତ କାରଣ ଯୋଗୁ ଅବଶିଷ୍ଟ ସମୟ ସୀମା ପାଇଁ ଉଦ୍ଦିଷ୍ଟ ପ୍ରିମିୟମ ଦେଇ ନ ପାରି ସେ ପଲିସିଟିକୁ ସରଣ୍ଡର କରିବାକୁ ଆବଶ୍ୟକ କାଗଜପତ୍ର ସହ ଡାକ ବିଭାଗ ନିକଟରେ ଆବେଦନ କରିଥିଲେ । ମାତ୍ର ବିଶ୍ୱାଳ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବେଦନ କରି ନ ଥିବା ଦର୍ଶାଇ ଡାକ ବିଭାଗ କର୍ତ୍ତୃପକ୍ଷ ଏହି ଆବେଦନକୁ ଆଗ୍ରାହ୍ୟ କରିବା ସହ ପଲିସିକୁ ପରିବର୍ତ୍ତନ କଲେ କମ ପ୍ରିମିୟମ ଦେବାକୁ ପଡିବ ବୋଲି ପ୍ରସ୍ତାବ ଦେଇଥିଲେ । ମାତ୍ର ଗ୍ରାହକ ବିଶ୍ୱାଳ ଏହି ପ୍ରସ୍ତାବକୁ ଗ୍ରହଣ କରିବାକୁ ରାଜି ହୋଇଥିଲେ ମଧ୍ୟ ପୂର୍ବରୁ ଥିବା ପଲିସିକୁ ସରଣ୍ଡର କରି ଜମାରାଶି ପ୍ରଦାନ କରିବାକୁ ଡାକ ବିଭାଗ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ । ମାତ୍ର ସମ୍ବଲପୁରସ୍ଥିତ ଡାକ ବିଭାଗ ସୁପରିଟେଣ୍ଟେଣ୍ଟଙ୍କ ବିନା ଅନୁମତିରେ ଏହା ହୋଇପାରିବ ନାହିଁ ବୋଲି ଡାକ ବିଭାଗ କର୍ତୃପକ୍ଷ ତାଙ୍କୁ ଉତ୍ତର ଦେବା ସହ ଦିନ ଗଡାଇ ଚାଲିଥିଲେ । ତେବେ ଦୀର୍ଘ ୧୪ ମାସ ଗଡିଯାଇଥିଲେ ମଧ୍ୟ ବିଶ୍ୱାଳଙ୍କୁ ତାଙ୍କର ପ୍ରାପ୍ୟ ମିଳି ନ ଥିଲା ା ଫଳରେ ବିଶ୍ୱାଳ ଗତ ଅଗଷ୍ଟ ୨୪ତାରିଖ ଦିନ ପୁନର୍ବାର ଡାକ ବିଭାଗ ସହ ସମ୍ପର୍କ ସ୍ଥାପନ କରିବାରୁ ତାଙ୍କର ଆବେଦନ ପତ୍ର ସହ ପାସବୁକ ଓ ଅନ୍ୟାନ୍ୟ କାଗଜପତ୍ର ଡାକ ବିଭାଗର ହସ୍ତଗତ ହୋଇନାହିଁ ବୋଲି ଡାକ ବିଭାଗ କର୍ତ୍ତୃପକ୍ଷ ଦର୍ଶାଇଥିଲେ ା ଫଳରେ ନ୍ୟାୟ ନିମନ୍ତେ ବିଶ୍ୱାଳ ଦେବଗଡ ଜିଲା ଖାଉଟୀ ଅଦାଲତର ଦ୍ୱାରସ୍ଥ ହୋଇଥିଲେ ା ଦେବଗଡ ଖାଉଟୀ ଅଦାଲତ ଏନେଇ ଏକ ମାମଲା (ନଂ-୪୭/୨୦୧୯) ରୁଜୁକରି ମାମଲାର ଶୁଣାଣି ଆରମ୍ଭ କରିଥିଲେ ା ଇତି ମଧ୍ୟରେ ଜିଲା ଖାଉଟୀ ଅଦାଲତର ସଭାପତି ଦୀପକ କୁମାର ମହାପାତ୍ର ଓ ଅନ୍ୟ ସଦସ୍ୟ ସଦସ୍ୟାମାନେ ଏହି ମାମଲାର ବିଚାର କରି ବିଶ୍ୱାଳଙ୍କ ନାମରେ ପଲିସି ବାବଦ ସମସ୍ତ ଅର୍ଥରାଶି ପ୍ରଦାନ କରିବା ପାଇଁ ଡାକ ବିଭାଗ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାସହ ୧ ମାସ ମଧ୍ୟରେ କ୍ଷତିପୂରଣ ବାବଦକୁ ବିଶ୍ୱାଳଙ୍କୁ ୨ହଜାର ଟଙ୍କା ଓ ମକଦ୍ଦମା ଖର୍ଚ୍ଚ ବାବଦକୁ ୧ ହଜାର ଟଙ୍କା ପ୍ରଦାନ ପାଇଁ ରିଆମାଳ ଡାକ ବିଭାଗ ପୋଷ୍ଟମାଷ୍ଟର, ଦେବଗଡ ଡାକ ବିଭାଗ ପୋଷ୍ଟମାଷ୍ଟର ଓ ସମ୍ବଲପୁରସ୍ଥିତ ଡାକ ବିଭାଗ ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ା