Categories: ଦେବଗଡ଼

ରେଙ୍ଗାଲି ଡ୍ୟାମ୍‌ରୁ ମିଳିଲା ମୃତ ହାତୀ ଶାବକ

ଦେବଗଡ଼,୭ା୧(ଡି.ଏନ.ଏ) ଦେବଗଡ ବନଖଣ୍ଡ ବାରକୋଟ ଫରେଷ୍ଟ ରେଞ୍ଜ୍‌ ଓ ବଳମ ସେକ୍ସନ ଅନ୍ତର୍ଗତ ମୂଷାବରି ଗ୍ରାମ ନିକଟ ରେଙ୍ଗାଲି ଡ୍ୟାମ୍‌ ଜଳଭଣ୍ଡାରରୁ ଗୁରୁବାର ଏକ ହାତୀ ଶାବକର ମୃତଦେହ ଉଦ୍ଧାର କରାଯାଇଛି। ଉକ୍ତ ହାତୀ ଶାବକର ମୃତଦେହ ଡ୍ୟାମ୍‌ରେ ଭାସୁଥିବା କେତେକ ଗ୍ରାମବାସୀ ଦେଖିବା ପରେ ଏ ନେଇ ବନ ବିଭାଗ କର୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ବାରକୋଟ ଫରେଷ୍ଟ ରେଞ୍ଜ ଅଫିସର ଜୟଶ୍ରୀ ମୁର୍ମୁ, ଦେବଗଡ ଫରେଷ୍ଟ ରେଞ୍ଜ ଅଫିସର ଦେବଦତ୍ତ ନନ୍ଦ, ବଳମ ଫରେଷ୍ଟର ଶ୍ୟାମ ସୁନ୍ଦର ବେହେରା, ଦେବଗଡ ଫରେଷ୍ଟର ଭୀମସେନ ଶତପଥି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଜଳଭଣ୍ଡାରରୁ ହାତୀ ଶାବକର ମୃତଦେହକୁ ବାହାରକୁ ଆଣିଥିଲେ। ପରେ ଦେବଗଡ ବନଖଣ୍ଡ ଅଧିକାରୀ ମଗର ଧାନାଜୀ ରାଓସୋ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଲଳିତ ମୋହନ ସାହୁଙ୍କ ଉପସ୍ଥିତିରେ ବାରକୋଟ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀଙ୍କ ହାତୀ ଶାବକର ମୃତଦେହ ବ୍ୟବଚ୍ଛେଦ କରିଥିଲେ। ଏହାପରେ ସେଠାରେ ଏକ ଗାତ ଖୋଳି ମୃତଦେହ ପୋତି ଦିଆଯାଇଥିଲା। ପ୍ରାୟ ୨ଦିନ ତଳେ ଉକ୍ତ ହାତୀ ଶାବକର ମୃତ୍ୟ ଘଟିଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ହାତୀ ଶାବକ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ତେବେ କୌଣସି ଦନ୍ତା ହାତୀ ଆକ୍ରମଣରେ ତାର ମୃତ୍ୟୁ ଘଟିଥାଇପାରେ ବୋଲି ବନ ବିଭାଗ ଆଶଙ୍କା ପ୍ରକାଶ କରିଛି ା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଦେବଗଡ ବନଖଣ୍ଡ ଅଧିକାରୀ ରାଓସୋ କହିଛନ୍ତି।