ଖାଉଟିଙ୍କ ପାଇଁ ଧାର୍ଯ୍ୟ ହେବ ଅଣ୍ଡା ଦର

ଭୁବନେଶ୍ୱର, ୨୯।୨(ବ୍ୟୁରୋ): ଏଣିକି ଖାଉଟିଙ୍କ ପାଇଁ ଅଣ୍ଡା ଦର ଧାର୍ଯ୍ୟ କରାଯିବ। ଖାଉଟି ଅଣ୍ଡା ଚାଷୀଙ୍କ ବିକ୍ରି ଦର ମଧ୍ୟ ଜାଣିପାରିବେ। ଚାଷୀ କେତେ ଟଙ୍କାରେ ବ୍ୟବସାୟୀଙ୍କୁ ଦେଉଛନ୍ତି ଏବଂ ଖାଉଟି କେତେ ଟଙ୍କାରେ ଅଣ୍ଡା ପାଇବେ ତାହା ବିସ୍ତୃତ ଭାବେ ଖବରକାଗଜରେ ପ୍ରକାଶ ପାଇବ। ମାର୍ଚ୍ଚରୁ ଏହା ଲାଗୁ ହେବ ବୋଲି ଅଲ୍‌ ଓଡ଼ିଶା ଲେୟାର ଫାର୍ମର୍ସ ଆସୋସିଏଶନ ସାଧାରଣ ସମ୍ପାଦକ ସରୋଜ କୁମାର ପାତ୍ର କହିଛନ୍ତି। ସେ କହିଛନ୍ତି ଯେ, ଚାଷୀ ଓ ଖାଉଟିଙ୍କ ମଧ୍ୟରେ ବ୍ୟବସାୟୀ ରହିଛନ୍ତି। ଯେଉଁମାନେ କମ୍‌ ଟଙ୍କାରେ କିଣିଲେ ମଧ୍ୟ ଖାଉଟିଙ୍କୁ ଅଧିକ ଟଙ୍କାରେ ଦେଉଛନ୍ତି। ଫଳରେ ଖାଉଟି ଠକାମିର ଶିକାର ହେଉଛନ୍ତି। ସେଥିପାଇଁ ଆମ ଆସୋସିଏଶନ ପକ୍ଷରୁ ଏଭଳି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଚାଷୀଙ୍କ ଦର ଖବରକାଗଜରେ ବାହାରୁଛି। ଖୁବ୍‌ଶୀଘ୍ର ଖାଉଟିଙ୍କ ଦର ମଧ୍ୟ ପ୍ରକାଶ ପାଇବ। ଖାଉଟି କେଉଁ ଦରରେ କିଣିବେ ତାହା ସ୍ପଷ୍ଟ କରାଯିବ। ଯଦି କୌଣସି ବ୍ୟବସାୟୀ ଦେଉନାହାନ୍ତି ତେବେ ଖାଉଟି ତାଙ୍କୁ ପ୍ରଶ୍ନ କରିପାରିବେ। ଭାରତରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଏହା କାର୍ଯ୍ୟକାରୀ ହେବ। ଚାଷୀ ଦର ଓ ଖାଉଟି ଦର ମଧ୍ୟରେ ଉପଯୁକ୍ତ ଗ୍ରହଣୀୟ ପ୍ରଭେଦ ରହିବ। ଆମେ ଯଦି ୩ଟଙ୍କାରେ ବିକ୍ରି କରୁଛୁ ତେବେ ଖାଉଟି ଅତି ବେଶିରେ ୪ଟଙ୍କାରେ ଅଣ୍ଡା ପାଇବେ। ଯଦି ଆମେ ୪ଟଙ୍କାରେ ବିକ୍ରି କରିବୁ ତେବେ ଖାଉଟି ୫ଟଙ୍କାରେ ପାଇବେ। କିନ୍ତୁ ବର୍ତ୍ତମାନ ଆମେ ୨ଟଙ୍କା ୫୦ ପଇସାରେ ବିକ୍ରି କଲେ ମଧ୍ୟ ଖାଉଟି ୫ଟଙ୍କା କିମ୍ବା ୫ଟଙ୍କା ୫୦ପଇସାରେ ପାଉଛନ୍ତି।